ଜାଭେଦ ଅଖତରଙ୍କୁ ମିଳିବ ସୋଆ ସାହିତ୍ୟ ସମ୍ମାନ ୨୦୨୫

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି। ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମଭୂଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତ୍ତରୀୟ ପ୍ରଦାନ କରାଯିବ । ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଆସୁଅଛି । ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନସିଏଣ୍ଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ–ପ୍ରାଚୀନ ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *