ତେଲେଙ୍ଗାନାରେ ବସ୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨୦ ମୃତ, ଅନେକ ଆହତ

ହାଇଦ୍ରାବାଦ: ଆଜି ସକାଳେ ରାଜ୍ୟର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ ଏକ ଡମ୍ପର ଟ୍ରକ୍ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସ ଅନୁଯାୟୀ, ଏକ ପଥର ବୋଝେଇ ଡମ୍ପର ଟ୍ରକ୍ ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବସଟିରେ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିବାବେଳେ ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଛି।

ଖବର ଅନୁଯାଇ, ଟିପ୍ପରଟି ଭୁଲ ଦିଗରୁ ଆସୁଥିଲା ଏବଂ ବସ୍ ସହ ଧକ୍କା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗୋଡି ଗଦାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ ଛାଡି ଦିଆଯାଇଛି। ଅନେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳରେ ଘଟିଥିବା ସଡ଼କ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ରିଲିଫ୍ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ଆରଟିସି ବସ୍ ଟି ତନ୍ଦୁରରୁ ହାଇଦ୍ରାବାଦ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ବସ୍‌ରେ ୭୦ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଏବଂ କର୍ମଚାରୀ ଥିଲେ। ସେମାନେ ହାଇଦ୍ରାବାଦର ବିଭିନ୍ନ କଲେଜରେ ପାଠପଢ଼ୁଥିବା ଜଣାପଡ଼ିଛି। ରବିବାର ଛୁଟି ଥିବାରୁ ସେମାନେ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *