ଉତ୍ତରାଖଣ୍ଡରୁ ଗିରଫ ହୋଇ ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱକୁ ଆଣିଲା କ୍ରାଇମ୍‌ବ୍ରାଞ୍ଚ । ଏୟାରପୋର୍ଟରୁ ସିଧା କ୍ରାଇମ୍‌ବ୍ରାଞ୍ଚ ଅଫିସ୍ ଗଲା ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଶଙ୍କର କହିଛି ଯେ ତା ଉପରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ । ହାଇକୋର୍ଟରେ ମୁଁ ଆଗୁଆ ଜାମିନ ଆବେଦନ କରିଛି ବୋଲି କହିଛି ଶଙ୍କର । ପୋଲିସ ଏସଆଇ ସ୍କାମ୍‌ ଜଣାପଡ଼ିବା ପରେ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି । ଦୁବାଇ ଯିବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛି ଶଙ୍କର । ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ହେଉଛି ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ।
ସୂଚନା ମୁତାବକ, ପୂର୍ବରୁ ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ଉ କରିଥିଲା । ସେଠାରୁ ଶଙ୍କର ନେପାଳ ଅଭିମୁଖେ ଫେରାର ହୋଇଯାଇଥିଲା । ଏହାପରେ ଡିଏସପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ । ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି ।

ସୂଚନାମୁତାବକ, ଗତମାସ ପୋଲିସ ଚାକିରିରେ ଜାଲିଆତି ସୁରାକ ମିଳିଥିଲା । ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୪ ଜଣ ପ୍ରାର୍ଥୀ ଓ ୯ ଜଣ ଦଲାଲ ଗିରଫ ହୋଇଥିଲେ । ଅକ୍ଟୋବର ୨୯ରେ ବିଶେଷ ଭିଜିଲାନ୍ସ କୋର୍ଟ ୫୦,୦୦୦ ଟଙ୍କା ବଣ୍ଡ ଓ ୨ ଜଣ ଜାମିନଦାର ବଦଳରେ ୧୧୪ ଜଣ ପ୍ରାର୍ଥୀଙ୍କୁ ଜାମିନ ଦେଇଛନ୍ତି । ୭ ଜଣ ଦଲାଲଙ୍କ ଜାମିନ ନାମଞ୍ଜୁର ହୋଇଛି । ତେବେ ଠକେଇରେ ପ୍ରତ୍ୟେକ ପ୍ରାର୍ଥୀଠାରୁ ୨୫ ଲକ୍ଷ ଟଙ୍କା ନେଇ ଚାକିରି ନିଶ୍ଚିତ କରାଇଦେବାର ପ୍ରତିଶୃତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *