ରିଲାଏନ୍ସ ଗ୍ରୁପ୍‌ ଉପରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ:୫୧୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ଓ ଅର୍ଥ ହେରଫେର ମାମଲାର ତଦନ୍ତ ମଧ୍ୟରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ର ପ୍ରାୟ ୫୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଛି ଇଡି। ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଚାର୍ଟାର୍ଡ ବିମାନ, ମହାରାଷ୍ଟ୍ରର ୬ଟି ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ରହିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ଅନିଲ ଅମ୍ବାନୀ ଗ୍ରୁପ୍‌ ସହ ଜଡ଼ିତ ମାମଲାଗୁଡ଼ିକରେ ଏପର୍ଯ୍ୟନ୍ତ ଜବତ ଓ ଆଟାଚ୍ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୨୩,୧୦୦ କୋଟି ଟଙ୍କାରେ ପହଞ୍ଚିଛି।ଇଡିର ସୂଚନା ଅନୁସାରେ, ରିଲାଏନ୍ସ କମ୍ୟୁନିକେସନ୍‌ (RCOM) ସହ ଜଡ଼ିତ ବ୍ୟାଙ୍କ ଠକେଇ ମାମଲାରେ ୨୪୭.୧୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଛି। ଏଥିରେ ଦୁଇଟି ଚାର୍ଟାର୍ଡ ବିମାନ, ମହାରାଷ୍ଟ୍ରର ୬ଟି ଜମି ଏବଂ ଗୋଟିଏ ଅଫିସ୍ ପରିସର ରହିଛି। ଜବତ ହୋଇଥିବା ବିମାନ ମଧ୍ୟରେ ଡାସଲ୍ଟ ଫାଲକନ୍ ୨୦୦୦ ଏବଂ ଏମ୍ବ୍ରାଏର୍ ବିମାନ ରହିଥିବା ଜଣାପଡ଼ିଛି। ସେହିପରି ରିଲାଏନ୍ସ ହୋମ୍ ଫାଇନାନ୍ସ (RHFL) ଓ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ (RCFL) ସହ ଜଡ଼ିତ ମାମଲାରେ ୨୬୩.୦୫ କୋଟି ଟଙ୍କାର ସମ୍ପତ୍ତି ଉପରେ ଇଡି କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ ତାମିଲନାଡୁର ଦୁଇଟି ପବନ ଚକ୍କି, ବ୍ୟାଙ୍କ ଜମା, ଫିକ୍ସଡ୍ ଡିପୋଜିଟ୍, ନିବେଶ ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତି ଅନ୍ତର୍ଭୁକ୍ତ।ଇଡିର ତଦନ୍ତରେ ରିଲାଏନ୍ସ ଗ୍ରୁପ୍‌ର କିଛି କମ୍ପାନୀ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ନେଇଥିବା ସାର୍ବଜନୀନ ଅର୍ଥର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାସହ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌ (IBC)ର ଦୁରୁପଯୋଗ କରି କମ୍ପାନୀର ସମ୍ପତ୍ତିକୁ ବ୍ୟକ୍ତିଗତ ଲାଭ ପାଇଁ ସୁରକ୍ଷିତ ରଖିବା ଏବଂ ଭାରତରୁ ବିଦେଶର ଟ୍ୟାକ୍ସ ହେଭେନ୍‌କୁ ଅର୍ଥ ପଠାଇବା ଭଳି ଅଭିଯୋଗ ମଧ୍ୟ ଏଜେନ୍ସି ଉଠାଇଛି।

Leave a Reply

Your email address will not be published. Required fields are marked *