ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି। ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ସବୁଠାରୁ ଅଧିକ ନବରଙ୍ଗପୁର ଜିଲ୍ଲାରୁ ୧୧,୨୭୦ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ସେହିପରି ଗଜପତିରୁ ୧୧,୦୦୦, ମାଲକାନଗିରିରୁ ୯,୮୫୦, ଗଞ୍ଜାମରୁ ୬,୫୦୦, କୋରାପୁଟରୁ ୫,୦୦୦ ଏବଂ ନୂଆପଡ଼ାରୁ ୧,୬୭୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସମୁଦାୟ ୪୮ଟି ଓଡ୍ରାଫ୍, ୮ଟି ଏନଡିଆରଏଫ ଏବଂ ୨୨୫ଟି ଅଗ୍ନିଶମ ବାହିନୀ ଟିମ୍‌କୁ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ କରାଯାଇଛି। ମଙ୍ଗଳବାର ସକାଳୁ ପାଗରେ ପରିବର୍ତ୍ତନ ହେବା ସହ ଗଞ୍ଜାମ, ପୁରୀ ଏବଂ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳିଆ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଛି। “ସବୁ ଜିଲ୍ଲାରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଏସଆରସି।

Leave a Reply

Your email address will not be published. Required fields are marked *