ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ: ଗଜପତି ମହାରାଜ

ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଗଜପତି ମହାରାଜା । ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଛି । ନୀତି ଅନୁଯାୟୀ ପରମ୍ପରାକୁ ପାଳନ କରିବା ପାଇଁ ଇସ୍କନକୁ ଏକ ମାସର ସମୟ ଦିଆଯାଇଛି ବୋଲି କହିଛନ୍ତି ଗଜପତି ମହାରାଜା । କିଛି ଦଶନ୍ଧୀ ହେବ ଶାସ୍ତ୍ରକୁ ଉଲଂଘନ କରି ଇସ୍କନ ପାଳନ କରିଛି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଗଜପତିଙ୍କ ଦ୍ଵାରା ଇସ୍କନକୁ ଏନେଇ ଚିଠି ଲେଖାଯାଇଛି ବୋଲି କହିଛନ୍ତି ଅରବିନ୍ଦ ପାଢୀ, ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ।

ଇସ୍କନ ଗୋବର୍ଦ୍ଧନ ଦାସ ମହାରାଜଙ୍କୁ ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୦୦ ପୃଷ୍ଠାର ଏକ ଦସ୍ତାବିଜ୍ ପ୍ରଦାନ କରାଯାଇଛି । ଏହାକୁ ପଢ଼ିବା ପରେ କେତେ ବଡ଼ ଭୁଲ ପ୍ରାୟ ୫୦ ବର୍ଷ ମଧ୍ୟରେ ହୋଇଛି ତାହାକୁ ବୁଝିହେବ। ଶିଳା ପ୍ରଭୁପାଦଙ୍କ ଦ୍ଵାରା ଏହି ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ଏହା ନୀତି ମୁତାବକ ହେଉଥିଲା । ପରେ ତାଙ୍କର ଦେହାନ୍ତ ପରେ ଏହି ନୀତି ବିରୋଧୀ କାର୍ଯ୍ୟକ୍ରମ କରୁଛି ଇସ୍କନ । ଚଳିତ ବର୍ଷ ତିଥି ବାହାରେ ୬୮ ଟି ଜାଗାରେ ଇସ୍କନ ପକ୍ଷରୁ ରଥଯାତ୍ରା ହୋଇଛି । ଇସ୍କନ ସହ ଏନେଇ ବହୁବାର ଆଲୋଚନା ହୋଇଥିଲା । ଇସ୍କନ ଭାରତ ସହ ୨୧ ଜୁଲାଇ ୨୦୨୧ ନିଷ୍ପତି ନେଇଥିଲେ ଯେ ନୀତି ନିର୍ଦ୍ଧାରିତ ସମୟ ମଧ୍ୟରେ ରଥଯାତ୍ରା ଆୟୋଜିତ ହେଉଛି । ହେଲେ ଦେଶ ବାହାରେ ଏହା ଅଦିନିଆ ଭାବେ ପାଳନ କରାଯାଉଛି ।କେବଳ ଜ୍ୟଷ୍ଟ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ନବଦିନାତ୍ମକ ଯାତ୍ରା ସମୟ ମଧ୍ୟରେ ହିଁ ରଥଯାତ୍ରା ହେଉ। ଏହା ମହାପ୍ରଭୁ ଜଗନ୍ନାଥ ଙ୍କ ନିଜ ଆଦେଶ ଯେ କେଉଁ ସମୟରେ କେଉଁ ଯାତ୍ରା ହେବ । ଏହା ମହାଋଷି ବେଦ ବ୍ୟାସଙ୍କ ଦ୍ଵାରା ଶ୍ରୀମଦ ଭାଗବତରେ ମଧ୍ୟ ଲେଖା ହୋଇଛି । ଏହାକୁ ପାଳନ କରି ଜଗନ୍ନାଥ ସଂସ୍କୃତି ଆଗେଇ ଆସିଛି । ତିଥି ଅନୁଯାୟୀ ଯାତ୍ରା ସବୁ ସମ୍ପୂର୍ଣ୍ଣ କରାଯାଉ । ଏକ ମାସ ମଧ୍ୟରେ ଏହାକୁ ନେଇ ଉତ୍ତମ ନିଷ୍ପତି ନିଅନ୍ତୁ ଇସ୍କନ । ଏଥିପାଇଁ ବିଦେଶର ମନ୍ଦିରମାନଙ୍କ ସହ ଆଲୋଚନା କରନ୍ତୁ ଆଉ ନୀତି ସଂଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଗଜପତି । ଯଦି ସେମାନେ ନୀତି ଓ ପରମ୍ପରାକୁ ନମନିବେ ତେବେ ଆଇନର ଆଶ୍ରୟ ନେବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *