ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନିଷ୍ପତ୍ତି,ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ନ କରି ତଥା ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ବେକାର ଯୁବ ବର୍ଗଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଖାଲି ପଦବି ପାଇଁ ନିୟମିତ ବ୍ୟବଧାନରେ କାହିଁକି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉ ନାହିଁ ବୋଲି ଶୁଣାଣି ବେଳେ ହାଇକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଥି ସହିତ ଶିକ୍ଷିତ ଯୁବକ ଯୁବତୀ କୁଆଡେ ଯିବେ ବୋଲି ହାଇକୋର୍ଟ ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୬୩୮୭ ଅତିଥି ଶିକ୍ଷକ ନିଯୁକ୍ତି ସଂପର୍କିତ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଦାୟର ଏହି ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେତେ ଶିକ୍ଷକ ପଦବି ଖାଲି ପଡ଼ିଛି ଏବଂ ଖାଲି ପଡ଼ିଥିବା ପଦବି ଗୁଡ଼ିକ ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟ ଦାଖଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *