ଆଜି ବାହୁଡ଼ିବେ ମହାପ୍ରଭୁ, ଶ୍ରୀ କ୍ଷେତ୍ର ଭକ୍ତମୟ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ। ଏଥି ପାଇଁ ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ଆରମ୍ଭ ହୋଇଯାଇଛି। ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। ଆଡ଼ପ ମଣ୍ଡପରେ ନବମୀ ଅବସରରେ ଶୁକ୍ରବାର ଦିନସାରା ଶ୍ରୀଜିଉମାନଙ୍କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ କରାଯାଇଥିବା ବେଳେ ନୀତିକୁ ଶୃଙ୍ଖଳିତ କରାଯାଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ରେ ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *