EVM ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ଲୋକଙ୍କ ବିରୋଧରେ ଏତଲା ରୁଜୁ

ବିହାର: ବିଧାନସଭା ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଇଭିଏମ ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବା କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ଆରା, ଗୋପାଲଗଞ୍ଜ ଓ ସାରଣ ଜିଲ୍ଲାରେ ୪ ଜଣ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ନିର୍ବାଚନ ଆୟୋଗଙ୍କ ନିୟମରେ ସ୍ପଷ୍ଟ ରୂପେ କୁହାଯାଇଛି ମତଦାନ କେନ୍ଦ୍ରକୁ ମୋବାଇଲ ନେଇଯିବା ଓ ଭୋଟିଂ ପ୍ରକ୍ରିୟାର ଫଟୋ ଉଠାଇବା ସମ୍ପୂର୍ଣ୍ଣ ନିଷେଧ। ଏହା ସତ୍ତ୍ୱେ କିଛି ଲୋକ ଇଭିଏମର ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏହା ନା କେବଳ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ବରଂ ଆଇନତଃ ଅପରାଧ ମନେ କରାଯାଉଛି। ଅଧିକାରୀଙ୍କ ଅନୁସାରେ ଗୋପାଲ ଗଞ୍ଜରେ ଦୁଇଜଣଙ୍କ ବିରୋଧରେ ଓ ଆରା ଏବଂ ସାରଣରେ ଜଣେ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁସାରେ ଏହି ଲୋକେ ଭୋଟ ଗ୍ରହଣ କେନ୍ଦ୍ରକୁ ମୋବାଇଲ ନେଇ କିପରି ପହଞ୍ଚିଲେ ଏ ନେଇ ପ୍ରଥମେ ଯାଞ୍ଚ ହେଉଛି। ଭୋଟ ଗ୍ରହଣ କେନ୍ଦ୍ରକୁ ମୋବାଇଲ ନେଇଯିବା ସମ୍ପୂର୍ଣ୍ଣ ନିଷେଧ। ସାରଣ ପୋଲିସ କହିଛି ଯେ ୬ ନଭେମ୍ବର ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ରେ ସୋସିଆଲ ମିଡିଆ ଉପରେ ନଜର ପକାଯିବା ବେଳେ କିଛି ଆକାଉଣ୍ଟରେ ନିର୍ବାଚନ ସମ୍ପର୍କିତ ଭ୍ରମାତ୍ମକ ଓ ଅନୁଚିତ ପୋଷ୍ଟ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ଭୋଟ ଦେଉଥିବା ଦେଖା ଯାଇଥିଲା।

Leave a Reply

Your email address will not be published. Required fields are marked *