ଓଡିଆ ଷ୍ଟଡିଜ୍ ସେଣ୍ଟର ସ୍ଥାପନ ହେବ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହେବ ଦେଶର ପ୍ରଥମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଓଡ଼ିଆ ଭାଷାରେ ଅଧ୍ୟୟନ ହୋଇପାରିବ। ଏହି ସେଣ୍ଟରରେ କେବଳ ଓଡ଼ିଆ ଭାଷା ନୁହେଁ, ଓଡ଼ିଶାର ଇତିହାସ, କଳା, ସଂସ୍କୃତି ଏବଂ ଓଡ଼ିଶାର ମହାନ ମନିଷିମାନଙ୍କ ଦେଶର ପ୍ରଗତିରେ ଅବଦାନ ମଧ୍ୟ ପଢିବାର ସୁଯୋଗ ମିଳିବ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ୍ ଅଫ୍ କଲେଜେସ୍ ପ୍ରଫେସର ବଳରାମ ପାଣି, ଆସୋସିଏଟ୍ ପ୍ରଫେସର ନିତ୍ୟାନନ୍ଦ ଅଗସ୍ତି ଓ ଆସିଷ୍ଟାଣ୍ଟ ପ୍ରଫେସର ବସନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି । ଏମାନେ କହିଛନ୍ତି ଯେ, ଓଡ଼ିଆ ଭାଷା ଓ ଓଡ଼ିଶାର ଗୌରବମୟ ଇତିହାସର ଦେଶ ପାଇଁ ଥିବା ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ଧ୍ୟାନରେ ରଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଏକ୍ଜିକ୍ୟୁଟିଭ କାଉନସିଲ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଓଡ଼ିଆ ଷ୍ଟଡିଜ୍ ସେଣ୍ଟର ସ୍ଥାପନ ଲାଗି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସର୍ବାଧିକ ସହଯୋଗ ରହିଥିବାରୁ ପ୍ରଫେସର ପାଣି ତାଙ୍କୁ ବିଶେଷ ଧନ୍ୟବାଦ ଦେଇଛନ୍ତି । ଏହି ସେଣ୍ଟର ମଧ୍ୟ ରାଜ୍ୟର ପୁରାତନ ତାଳପତ୍ର ପୋଥିରେ ଲୁଚି ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୋକଲୋଚନକୁ ଆଣିବା ସହ ସେଗୁଡିକର ସଂଗ୍ରହ ଓ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଠାରେ ପୋଷ୍ଟ ଗ୍ରାଜୁଏସନ୍, ପିଏଚ୍ଡି ଏବଂ ପୋଷ୍ଟ ଡକ୍ଟରାଲ ଷ୍ଟଡିଜ୍ ସୁବିଧା ରହିବ । ପିଏଚ୍ଡି ଏବଂ ପୋଷ୍ଟ ଡକ୍ଟରାଲ ଷ୍ଟଡିଜ୍ ପାଇଁ ଫେଲୋସିପ୍ ମଧ୍ୟ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *