ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।ରାଜ୍ୟର ସର୍ବବୃହତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି । ସେଥିପାଇଁ ଏହି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଆବଶ୍ୟକୀୟ ପାର୍କିଂ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକରେ ଆଲୋଚନା ହୋଇଛି , ଏସ୍.ସି.ବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍‌ଟି ଲେଭଲ୍‌ ପାର୍କିଂ ସୁବିଧା ବିକଶିତ କରାଯିବ । ପାର୍କିଂ ସୁବିଧା ଉଭୟ ଏସ୍.ସି.ବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ । ଏହି ବିଲ୍‌ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଟ ମହଲା ଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ୍ ଇତ୍ୟାଦି କାର୍ଯ୍ୟକ୍ଷମ ହେବ। ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଖୁବଶୀଘ୍ର ପିପିପି ମୋଡ୍‌ରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥି ସହିତ ରାଜ୍ୟର କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ, କୋରାପୁଟ, ବାରିପଦା ଓ ବଲାଙ୍ଗିରରେ ଥିବା ସରକାରୀ ମେଡିକାଲ କଲେଜ୍‌ କ୍ୟାମ୍ପସ୍‌ରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ପାଇଁ ଆଲୋଚନା ହୋଇଛି l

Leave a Reply

Your email address will not be published. Required fields are marked *