ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ହେବାକୁଥିବା ବାର୍ଷିକ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ତ୍ରୁଟି କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ଚଳିତ ମାସ ଫେବୃଆରୀ ୧୮ ତାରିଖରୁ ବାର୍ଷିକ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୯ ତାରିଖରୁ ମାଟ୍ରିକ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ କିପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ବିଶୃଙ୍ଖଳା ନଉପୁଜିବ, ସେଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ସାମିଲ ହୋଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଡଃ. ଏନ୍‌ ତିରୁମାଳା ନାଏକ, CHSE ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, BSE ସଭାପତି ଶ୍ରୀକାନ୍ତ ତରାଇ ଏବଂ ଉଭୟ ବୋର୍ଡର ପରୀକ୍ଷା ନିୟନ୍ତ୍ରକମାନେ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *