ଇଂରାଜୀ ନାମ ପରିବର୍ତ୍ତେ ଓଡ଼ିଆ ନାମର ବ୍ୟବହାର କରାଯିବ

ଭୁବନେଶ୍ୱର: ବ୍ରିଟିଶ୍ ଶାସନ କାଳରୁ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରଚଳିତ ଭୁଲ୍ ନାମକରଣର ସଂଶୋଧନ ହେବ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ। ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ରୂପ। ସେ ସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକୁ ଓଡ଼ିଶା ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏହିପରି ବିକୃତି, ଆମ ରାଜ୍ୟର ପ୍ରକୃତ ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ଭୁଲ୍ ଭାବରେ ପ୍ରତିପାଦନ କରୁଛି ଏବଂ ଓଡ଼ିଆ ଅସ୍ମିତାର ସାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଯେପରି “ଆଳି’” ତହସିଲର ସରକାରୀ ଇଂରାଜୀ ନାମ “AUL” ଅଛି, ଯାହା ବ୍ରିଟିଶ ଶାସନ ସମୟରେ ଉଚ୍ଚାରଣ ଅସୁବିଧା ଯୋଗୁଁ ପ୍ରଚଳିତ ଏକ ଭୁଲ୍ ବନାନ ଏବଂ ଏହାକୁ ସଂଶୋଧନ କରାଯିବାର ଆବଶ୍ୟକ‌ତା ରହିଛି ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ଆସିଛି। ପ୍ରାପ୍ତ ରିପୋର୍ଟଗୁଡିକର ତାଲିକା ଉପରେ, ବିଧାୟକ ଓ ସାଂସଦମାନଙ୍କର ଏବଂ ସାଧାରଣ ଜନତାଙ୍କର ମତ ନିଆଯାଇଥିଲା। ତଦନୁସାରେ, ଏହି ବିଷୟରେ ବିଭିନ୍ନ ନୂତନ ପ୍ରସ୍ତାବ ମଧ୍ୟ ମିଳିଛି । ତେବେ ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ପୁନଃ ପରୀକ୍ଷଣ କରି, ନୂତନ ପ୍ରସ୍ତାବ ସହ ସାତ ଦିନ ଭିତରେ ବିଭାଗକୁ ପ୍ରେରଣ କରିବାକୁ ଏହି ପତ୍ରରେ ଜିଲ୍ଲାପାଳଙ୍କୁ ଜଣାଯାଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କିତ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜସ୍ୱ ସଚିବ ଡ. ପାଢୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *