ପିଲାଙ୍କୁ ନେଇ ଯାଉଥିବାବେଳେ ସ୍କୁଲ ଗାଡି ଓଲଟିଲା

କୋରାପୁଟ: ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ସ୍କୁଲ୍ ଭ୍ୟାନ ଓଲଟିବାରୁ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଚିକିଟି ଗଡ଼ ଧାନଘର ଛକ ବିଦ୍ୟୁତ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଶନିବାର ସକାଳେ ଏକ ସ୍କୁଲ ଗାଡ଼ି ଓଲଟି ପଡିଛି। ମା ’ ବ୍ୟାଘ୍ରଦେବୀ ନାମକ ସ୍କୁଲ ଗାଡ଼ି ଟାଟା ମ୍ୟାଜିକ (ନଂ. ଓଡ଼ି ୦୭ ୟୁ -୭୧୨୩) ଓଲଟି ପଡିବାରୁ ୧୦ରୁ ଅଧିକ ଛାତ୍ରୀଛାତ୍ର ଆହାତ ହୋଇଛନ୍ତି। ଆହାତମାନେ ହେଲେ ପିତାତଳି ଗ୍ରାମ ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ନାରାୟଣ ସାହୁ, ଓମ ପ୍ରସାଦ ସାହୁ, ଶୁଭଲକ୍ଷ୍ମୀ ସାହୁ,ଶ୍ରାବଣୀ ସାହୁ,ସୁଲଗ୍ନା ସାହୁ,ଆଦିତ୍ୟ ସାହୁ, ୧୦ମ ଶ୍ରେଣୀରେ ପଢୁଥିବା କିରଣ ରଣା,ରାଣୀ ସାହୁ,ବନିତା ପ୍ରଧାନ,୮ମ ଶ୍ରେଣୀର ଛାତ୍ରୀ ଟି. ସଞ୍ଚିତା ଏବଂ ଡଭାର ଗ୍ରାମର ଗାଡ଼ି ଚାଳକ ମନୋଜ କୁମାର ସାହୁ(୪୫)। ସମସ୍ତ ଆହାତମାନଙ୍କୁ ଉଦ୍ଧାର କରାଯାଇ ଚିକିଟି ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହାତ ଛାତ୍ରୀଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଭୋର୍‌ରେ ସ୍କୁଲ ଗାଡ଼ି ନୂଆପଡ଼ା, ଚାନ୍ଦପୁର,ଦେଉଳିଆ ପଡ଼ା, ଡଭାର,ବାଦ୍ୟନାଳ ଶାସନ ପ୍ରଭୃତି ଗ୍ରାମରୁ ଛାତ୍ରୀଛାତ୍ରଙ୍କୁ ନେଇ ପିତାତଳି ଗ୍ରାମସ୍ଥିତ ଆଦର୍ଶ ବିଦ୍ୟାଳୟ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଖବରପାଇ ସାମାଜିକକର୍ମୀ ସୁରେନ୍ଦ୍ର ମଣ୍ଡଳଙ୍କ ସମେତ ବହୁ ସଂଖ୍ୟକ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଆହାତ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଉପସ୍ଥିତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଚିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *