ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ୬୧ ତମ ଫେମିନା ମିସ୍ ଇଣ୍ଡିଆ 2026 ପ୍ରତିଯୋଗିତାର ବିଜୟ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ବୀ ସତୀଶ ସୈଲ । ଗତକାଲି(ଶନିବାର) କିଟ୍ ବିଶ୍ବବିଦ୍ୟାଳୟରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି ସାଧ୍ବୀ । ସେହିପରି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର, ଦ୍ବିତୀୟ ରନର୍ସ ଅପ୍ କେନ୍ଦ୍ରଶାସିତ ଅଞ୍ଚଳର ଅଦ୍ବୈତା ହୋଇଛନ୍ତି । ଏହି ପ୍ରତିଯୋଗିତାର ୬୧ତମ ସଂସ୍କରଣ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିଲା । KIIT କ୍ୟାମ୍ପସ୍ ୧୩ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ପ୍ରତିନିଧି ଏମ ବୀଣା, ପୃଥ୍ୱୀରାଜ ହରିଚନ୍ଦନ, ସୁଲୋଚନା ଦାସ, ବିନୀତ ଜୈନ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ କରିଥିଲେ ।ଗ୍ରାଣ୍ଡ ଫିନାଲେ ପାଇଁ ଜୁରୀ ସଦସ୍ୟଙ୍କ ମଧ୍ୟରେ ଜୀନତ ଅମାନ, ଟେରେନ୍ସ ଲୁଇସ୍, ଅମାଲ୍ ମଲ୍ଲିକ, ସିମରନ୍, ସେଲିନା ଜେଟଲି, ମଧୁର ଭଣ୍ଡାରକର, ନେହା ଧୂପିଆ, ଦୂତୀ ଚାନ୍ଦ ଏବଂ ବର୍ତ୍ତିକା ସିଂହ ଆଦି ରହିଥିଲେ । ଏହି ଅବସରରେ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ଭୁବନେଶ୍ୱର ପ୍ରଥମ ଥର ପାଇଁ ୬୧ତମ ଫେମିନା ମିସ୍ ଇଣ୍ଡିଆ ଆୟୋଜନ କରିବାକୁ ଗର୍ବିତ। ଏହି ସହର ସମସ୍ତ ପ୍ରତିଯୋଗୀଙ୍କୁ ସ୍ୱାଗତ କରିଛି ଏବଂ ରାଜ୍ୟର ସମୃଦ୍ଧ ପରମ୍ପରା, ସଂସ୍କୃତି ଏବଂ ଆତିଥ୍ୟ ପ୍ରଦର୍ଶନ କରିଛି ।’
ଫେମିନା ମିସ୍ ଇଣ୍ଡିଆ ହେଲେ ଗୋଆର ସାଧ୍ବୀ ସତୀଶ ସୈଲ
