ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଚାମେଲି ଓଝାଙ୍କ ଭାଇଙ୍କୁ ବାନ୍ଧିଲା ପୋଲିସ

କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ l ଗୁରୁବାର ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ପଶି ତାଙ୍କ ଭିଡିଓ ରେକର୍ଡ କରିବା, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସକୁ ମାଡ ମାରିବା ଅଭିଯୋଗରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି lପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବା ସରପଞ୍ଚ ଚାମେଲି ଓଝା ଓ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଚାମେଲିଙ୍କୁ ଦୁର୍ବ୍ଯବହାର କରାଯିବା ଓ ମାଡ ମରାଯିବା ଅଭିଯୋଗ ହୋଇଛି l ଏଥିରେ ଅସୁସ୍ଥ ହୋଇ ଚାମେଲି ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ଚାମେଲିଙ୍କ ବିରୁଦ୍ଧରେ ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଛନ୍ତି l ତେବେ ଚାମେଲିଙ୍କୁ ରାଜନୈତିକ ଆକ୍ରୋଶ ରଖି ଅତ୍ୟାଚାର କରାଯାଉଥିବା ତାଙ୍କ ବାପା ନିରଂଜନ ଓଝା ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଅଭିଯୋଗ ପାଇବା ପରେ ତଦନ୍ତ ହେବ ବୋଲି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି lଏହା ପୂର୍ବରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଇଥିଲା ପୋଲିସ l ମହାକାଳପଡ଼ା ପୋଲିସ ତାଙ୍କୁ ନେବା ବଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଥିଲେ l

Leave a Reply

Your email address will not be published. Required fields are marked *