‘ବିଏଡ୍‌ ସାର୍ଟିଫିକେଟ୍‌’ କରାଇଦେବି କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସହ ବଡ଼ଧରଣର ଠକେଇ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ବିଏଡ୍‌ କରାଇଦେବା ନାଁରେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ୨୦ରୁ ଅଧିକ ଆଶାୟୀଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସାର୍ଟିଫିକେଟ୍‌ ପାଇନଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କଣ୍ଟାବାଞ୍ଜିର ଜଣେ ମଧ୍ୟସ୍ଥି ପତିତପାବନ ହେର୍ଣ୍ଣାଙ୍କ ଜରିଆରେ ଛାତ୍ରଛାତ୍ରୀମାନେ ଆନ୍ଧ୍ରର ଏକ ବିଏଡ୍‌ କଲେଜରେ ନାମ ଲେଖାଇଥିଲେ। ଏଥିପାଇଁ ଜଣପିଛା ୧.୫ ଲକ୍ଷ ଟଙ୍କା କୋର୍ସ ଫି ଏବଂ ସାର୍ଟିଫିକେଟ୍‌ ବାବଦକୁ ଅତିରିକ୍ତ ୧୦ ହଜାର ଟଙ୍କା ନିଆଯାଇଥିଲା। ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ କରି ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ବର୍ଷେ ପରେ ବି ସାର୍ଟିଫିକେଟ୍‌ ପାଇନାହାନ୍ତି। ଯେତେବେଳେ ଛାତ୍ରଛାତ୍ରୀମାନେ ସିଧାସଳଖ ଆନ୍ଧ୍ରର ସମ୍ପୃକ୍ତ କଲେଜ ସହ ଯୋଗାଯୋଗ କରିଥିଲେ। କଲେଜ କର୍ତ୍ତୃପକ୍ଷ ଫି ବକେୟା ଥିବାରୁ ସାର୍ଟିଫିକେଟ୍‌ ଅଟକିଥିବା କହିଥିଲେ। ଏହା ଶୁଣିବା ପରେ ନିଜେ ଟଙ୍କା ଦେଇଥିଲେ ମଧ୍ୟ ସେହି ଟଙ୍କା କଲେଜରେ ଜମା ହୋଇନଥିବା ଜାଣି ଛାତ୍ରଛାତ୍ରୀମାନେ ହତାଶ ହୋଇଯାଇଥିଲେ । ଏନେଇ ବଲାଙ୍ଗିର, ନୂଆପଡ଼ା ଓ ପଡ଼ୋଶୀ ଅଞ୍ଚଳର ୨୦ରୁ ଅଧିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମଧ୍ୟସ୍ଥିଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *