ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଲା ଓଡ଼ିଶାର ଡିଜିଟାଲ ପରିମଳ ମଡେଲ

ଭୁବନେଶ୍ୱର: ସହରାଞ୍ଚଳ ପରିମଳ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି ଓଡିଶା । ‘ସାଉଥ୍-ସାଉଥ୍ କୋଅପରେସନ୍’ କ୍ଷେତ୍ରରେ ଓଡିଶାର ଡିଜିଟାଲ ସାନିଟେସନ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଏବଂ ପ୍ରଶଂସା ମିଳିଛି। ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅଧୀନରେ ନାଇଜେରିଆର ‘ଲାଗୋସ ଷ୍ଟେଟ୍ ୱେଷ୍ଟୱାଟର ମ୍ୟାନେଜମେଣ୍ଟ ଅଫିସ’ (LSWMO) କୁ ମାର୍ଗଦର୍ଶନ (ମେଣ୍ଟରସିପ୍) ପ୍ରଦାନ କରିବା ପାଇଁ ମନୋନୀତ ହୋଇଛି। ‘ଗ୍ଲୋବାଲ ୱାଟର ଅପରେଟର୍ସ ପାର୍ଟନରସିପ୍ ଆଲାଇନ୍ସ’ (GWOPA) ମାଧ୍ୟମରେ ପରିଚାଳିତ ଏହି ପାଞ୍ଚ ବର୍ଷିଆ ଭାଗୀଦାରିତା (୨୦୨୬-୨୦୩୦), ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (DPI) ଏବଂ ତଥ୍ୟ-ଆଧାରିତ ଶାସନ ପ୍ରଣାଳୀ ଆପଣାଇବା ମାଧ୍ୟମରେ ଲାଗୋସ ରାଜ୍ୟରେ ପରିମଳ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବ। OWSSB ର ଏହି ଚୟନ, ଡିଜିଟାଲ ପରିମଳ ପରିଚାଳନା ଏବଂ ସହରବ୍ୟାପୀ ମଳ ଏବଂ ସେପ୍ଟେଜ୍ ପରିଚାଳନା (FSSM) କ୍ଷେତ୍ରରେ ଓଡ଼ିଶାର ଅଗ୍ରଗାମୀ କାର୍ଯ୍ୟକୁ ମିଳିଥିବା ଆନ୍ତର୍ଜାତୀୟ ସ୍ୱୀକୃତିକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମର ବୈଷୟିକ ନେତୃତ୍ୱ ନେଉଥିବା ‘ଆଥେନା ଇନଫୋନୋମିକ୍ସ’ ପକ୍ଷରୁ ଗ୍ଲୋବାଲ ୱାଟର ଅପରେଟର୍ସ ପାର୍ଟନରସିପ୍‌ର ପରିସର ଏବଂ ଆଭିମୁଖ୍ୟ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରାଯାଇଥିଲା। ଏହି ସହଯୋଗିତାର ରୋଡମ୍ୟାପ୍ ସମୀକ୍ଷା ଏବଂ ଆଗାମୀ ପଦକ୍ଷେପ ଗୁଡ଼ିକର ରୂପରେଖ ପ୍ରସ୍ତୁତ କରିବା ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *