ବହି ତ୍ରୁଟି ପଛରେ ଥିବା ଷଡ଼ଯନ୍ତ୍ରକୁ ନେଇ ମୁଖ୍ୟମନ୍ତ୍ରୀ କରିବେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀକହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି। ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି। ତଦନ୍ତ ପାଇଁ କମିଟି ଗଠନ ହୋଇଛି, ୭ ଦିନ ଭିତରେ ରିପୋର୍ଟ ଆସିବ। ଷଡ଼ଯନ୍ତ୍ର ଥିଲେ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନା ଥାଉ, ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ବୀକାର କରିବା ସହ ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି। ନୂତନ ପାଠ୍ୟପୁସ୍ତକର କେଉଁ ବହିରେ ବନାନ ଭୁଲ ତ ପୁଣି କେଉଁଥିରେ ନାମ ଭୁଲ ରହିଛି। ସ୍ଥାନର ଚିତ୍ର ଓ ମହାପୁରୁଷଙ୍କ ନାମ ମଧ୍ୟ ଭୁଲ ଲେଖାହୋଇଛି। ଓଡ଼ିଶାର ବିଧାନସଭା ଲେଖା ହୋଇଥିବାବେଳେ ସେଠାରେ କର୍ଣ୍ଣାଟକ ବିଧାନସଭା ଚିତ୍ରକୁ ବହିରେ ଛପାଯାଇଛି। ଭୂଗୋଳ ବହିରେ ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି। ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ବୋଲି ଲେଖାଯାଇଛି। ସେହିପରି ଡଙ୍ଗରିଆ ଜନଜାତିକୁ ଡୋଙ୍ଗରିଆ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଏଭଳି ମୋଟ ୧୬୭୮ଟି ଭୁଲ ରହିଥିବା ବେଳେ କେବଳ ଅଷ୍ଟମ ବହିରେ ସର୍ବାଧିକ ୭୦୫ଟି ଭୁଲ ରହିଛି। ଛାତ୍ରୀଛାତ୍ରମାନେ ସରକାରୀ ବହିରୁ କେଉଁ ଶିକ୍ଷା ପାଇବେ ବୋଲି ଅଭିଭାବକ ଓ ଶିକ୍ଷାବିତମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏସବୁ ତ୍ରୁଟି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏହାକୁ ସଂଶୋଧନ କରାଯିବ। ସେପର୍ଯ୍ୟନ୍ତ ଶିକ୍ଷକମାନେ ଭୁଲ୍ଗୁଡିକୁ ସଂଶୋଧନ କରି ପିଲାଙ୍କୁ ପଢାଇବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *