FIDE ମହିଳା ଚେସ୍‌ ବିଶ୍ବକପ ଟାଇଟଲ ଜିତିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ: ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ୱକପ୍‍ ଚେସ୍‍ ଚାମ୍ପିୟାନ୍‍ସିପ୍‍ ଟାଇଟେଲ୍‍ ହାସଲ କରିଛନ୍ତି । ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ତିନି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ୍‍ ମ୍ୟାଚ୍‍ରେ ଟାଇବ୍ରେକର ମାଧ୍ୟମରେ ଦିବ୍ୟା ଦେଶମୁଖ ଭାରତର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ଦୁଇଟି ଫାଇନାଲ୍‍ ମ୍ୟାଚ୍‍ ଅମିମାଂଶିତ ଭାବେ ଶେଷ ରହିବା ସହ ପ୍ରଥମ ଟାଇବ୍ରେକ୍‍ ପ୍ରତିଯୋଗିତା ମଧ୍ୟ ଡ୍ର’ ରହିଥିଲା ଟାଇବ୍ରେକରର ଦ୍ୱିତୀୟ ରାପିଡ୍‍ ଖେଳରେ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିଲେ । ଏହି ସଫଳତା ସହିତ ଦିବ୍ୟା ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇଛନ୍ତି । ପୂର୍ବରୁ କୋନେରୁ ହମ୍ପି, ଦ୍ରୋଣାବଲ୍ଲି ହାରିକା ଏବଂ ଆର୍‍. ବୈଶାଳୀ ମହିଳା ଗ୍ରାଣ୍ଡମାଷ୍ଟର ମାନ୍ୟତା ପାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଶ୍ୱକପ୍‍ ପ୍ରତିଯୋଗିତାରେ ଚାମ୍ପିୟାନ୍‍ ଏବଂ ରନର୍ସ୍‍ ହୋଇଥିବାରୁ ଦିବ୍ୟା ଦେଶମୁଖ ଓ କୋନେରୁ ହମ୍ପିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାତ୍ର ୧୯ ବର୍ଷ ବୟସରେ ଏହି ଟାଇଟଲ ହାସଲ କରି ଦିବ୍ୟା ଦେଶର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି । ପ୍ରତିଯୋଗିତାରେ କୋନେରି ହମ୍ପି ତାଙ୍କର ଉତ୍କୃଷ୍ଟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଭୟ ଖେଳାଳିଙ୍କୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *