ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬ ବିଜେତା

ଭୁବନେଶ୍ବର: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ୨୪ ବର୍ଷୀୟା ଗାୟିକା ଜ୍ୟୋତିର୍ମୟୀ ନାୟକ। ଏହି ପ୍ରସିଦ୍ଧ ଟାଇଟଲ୍ ଜିତିବାରେ ସେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି। ବିଜେତା ଭାବେ ଜ୍ୟୋତିର୍ମୟୀଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ମଧ୍ୟପ୍ରଦେଶ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି। ମାସ ମାସର ସାଙ୍ଗୀତିକ ଯାତ୍ରା ଏବଂ ମନମୁଗ୍ଧକର ପ୍ରଦର୍ଶନ ପରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲ୍ ରେ ଜ୍ୟୋତିର୍ମୟୀ ‘ସାଁୟା ଓ ସାଁୟା’ ଗୀତ ପରିବେଷଣ କରି ଦର୍ଶକ ଓ ବିଚାରକଙ୍କ ମନ ଜିଣିଥିଲେ। ଅନ୍ୟ ସହ-ଫାଇନାଲିଷ୍ଟ ଅଂଶିକା ଚୋଙ୍କାର, ମନରାଜ ବୀର ସିଂହ, ମାଇସ୍କେମ ବାସୁ, ସୁହେଲ୍ ସୁଫି ଏବଂ ତନିଷ୍କ ଶୁକ୍ଲାଙ୍କୁ ପଛରେ ପକାଇ ସେ ଭାରତର ନୂତନ ସଙ୍ଗୀତ ସେନ୍ସେସନ୍ ଭାବେ ଆତ୍ମପ୍ରକାଶ କରିଛନ୍ତି। ଦୀର୍ଘ ୧୦ ମାସ ଧରି ଚାଲିଥିବା ଏହି ସିଜିନ୍ରେ ଶ୍ରେୟା ଘୋଷାଲ୍, ବିଶାଲ୍ ଦଦଲାନି ଏବଂ ବାଦଶାହା ବିଚାରକ ଦାୟିତ୍ୱ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *