ସ୍କୁଲ୍‌ ଛାତ୍ରଛାତ୍ରୀ ଙ୍କ ବସ୍ତାନି ଓଜନ ଚେକ୍ କରିବେ ବିଇଓ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଚାଲିଛି l ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍‌ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍‌ ଓଜନର ସ୍କୁଲ୍‌ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଉଦାହରଣ ସ୍ୱରୂପ ୩୦ କିଲୋ ଓଜନର ଛାତ୍ରଛାତ୍ରୀମାନେ ୩କିଲୋରୁ କମ୍‌ ଓଜନର ସ୍କୁଲ୍‌ ବ୍ୟାଗ ନେବେ। ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିତ୍ୟାନନ୍ଦ ବାରିକ ଏ ସଂପର୍କିତ ନିର୍ଦ୍ଦେଶନାମା ଜିଲ୍ଲାର ସମସ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଜାରି କରିଛନ୍ତି। ବିଇଓମାନେ ସେମାନଙ୍କ ବ୍ଲକ୍‌ର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଏ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ସୂଚନା ଜାରି କରିବେ ବୋଲି କୁହାଯାଇଛି।ଜୁଲାଇ ୩୦ ତାରିଖ ସୁଦ୍ଧା ପଦକ୍ଷେପ ସଂକ୍ରାନ୍ତରେ ରିପୋର୍ଟ ପ୍ରକଳ୍ପ ସଂଯୋଜକଙ୍କ ଅଫିସ୍‌କୁ ଜଣାଇବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ବିଇଓମାନେ ଆଜି ଏନେଇ ପ୍ରତ୍ୟେକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ବ୍ୟାଗ୍‌ ଓଜନ କମାଇବାକୁ କ୍ଲାସ୍‌ ଟିଚର୍‌ ମାନେ ଛାତ୍ରଛାତ୍ରୀମାନେ କେଉଁ ବହି ଓ ଖାତା ଆଣିବେ ତାର ସୂଚନା ପୂର୍ବ ଦିନ ସଂଧ୍ୟାରୁ ପ୍ରଦାନ କରିବେ। ପ୍ରତ୍ୟେକ ସ୍କୁଲ୍‌ କର୍ତ୍ତୃପକ୍ଷ ପ୍ରବେଶ ଫାଟକ ନିକଟରେ ଓଜନ ମେସିନ୍‌ ରଖିବେ। ବ୍ୟାଗ୍‌ ଓଜନ କରିବା ପରେ ଛାତ୍ରଛାତ୍ରୀଙ୍କୁ କ୍ଲାସ୍‌ ରୁମ୍‌କୁ ଛଡ଼ାଯିବ। ସେହିପରି କିଭଳି ସ୍କୁଲ୍‌ ବ୍ୟାଗ୍‌ରେ କମ୍‌ ବହି ରହିବ ସେଥିପାଇଁ ମଧ୍ୟ ମାର୍ଗଦଶିର୍କାରେ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *