ଓଡ଼ିଶାରେ ବନ୍ୟାର ବିଭୀଷିକା, ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି କହି ସରକାରଙ୍କୁ କଟାକ୍ଷ କଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୦ଟି ଜିଲ୍ଲାରେ ବନ୍ୟା ଓ ବର୍ଷା ଯୋଗୁ ମୋଟ ୭ଲକ୍ଷ ୫ହଜାର ୨୩୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି।ପରିସ୍ଥିତିକୁ ଦୃଷ୍ଟି ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ସରକାରଙ୍କୁ କଟାକ୍ଷ କରିଛନ୍ତି l ସେ କହିଛନ୍ତି ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ। ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ ହୋଇପାରେ? ବନ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ୱରରୁ ନେଇ ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟାରେ ଏକାଧିକ ନିରୀହ ଜୀବନ ଯିବାର ଖବର ଆସିବା ମୋ ସହିତ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ବ୍ୟଥିତ କରିଛି। ଏପରି ଅସମୟରେ ଲୋକଙ୍କ ସାଥିରେ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ମାଳ ମାଳ ଅଭିଯୋଗ ଆସୁଛି। ସବୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ‘ପ୍ରତିଟି ଜୀବନ ମୂଲ୍ୟବାନ’ ହେଉଛି ଓଡ଼ିଶାର ମନ୍ତ୍ର। ଏହି ମନ୍ତ୍ରରେ ସବୁ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲା। ହେଲେ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନ କରି ଲୋକେ ନିର୍ବାଚିତ କରିଥିବା ପ୍ରତିନିଧିମାନେ ଲୋକଙ୍କ ହାତ ଛାଡ଼ିଦେବା ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି।ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୁଅନ୍ତୁ, ଲୋକଙ୍କୁ ସୁରକ୍ଷା ଦିଅନ୍ତୁ।

Leave a Reply

Your email address will not be published. Required fields are marked *