ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ୧.୨୦ ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ୱର: ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଓଡ଼ିଶା ସରକାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁ ପରିବାରଗୁଡ଼ିକର ଘର ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟା ଜଳ କମିଯାଇଛି, ସେଠାରେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ବିସ୍ତୃତ ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ପାଇଁ ପ୍ରତ୍ୟେକ ପରିବାରକୁ ୧.୨୦ ଲକ୍ଷ ଟଙ୍କା ଦିଆଯିବାକୁ ଥିବା ବେଳେ, ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ବନ୍ୟାରେ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନେ ହେକ୍ଟର ପିଛା ୮,୫୦୦ ଟଙ୍କା ପାଇବେ। ସରକାରୀ ତଦନ୍ତ ଅନୁଯାୟୀ, ଏହି ବନ୍ୟା ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍ ଏବଂ ୧,୪୫୮ଟି ଗ୍ରାମ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ସମୁଦାୟ ୮,୬୩,୯୦୯ ଜଣ ଲୋକ ଏହା ଦ୍ୱାରା ଦୁର୍ଦ୍ଦଶା ଭୋଗୁଛନ୍ତି। ବନ୍ୟାରେ ୨ ଲକ୍ଷ ୬୭ ହଜାର ୩୦୧ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *