ଓଡ଼ିଶା ଡିଜିପି ନିଯୁକ୍ତି ମାମଲା :ସେପ୍ଟେମ୍ବର ୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାୟର ଜନସ୍ୱାର୍ଥ ଆବେଦନ ର ଶୁଣାଣିକୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ୨୦୦୬ ମସିହାର ବହୁଚର୍ଚ୍ଚିତ ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଓଡ଼ିଶା ସରକାର ଜଣେ କନିଷ୍ଠ (ଜୁନିଅର) ଅଧିକାରୀଙ୍କୁ DGP ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ସାମିଲ କରିବାକୁ ଉଦ୍ୟମ କରୁଥିବା ଏହି PILରେ ଅଭିଯୋଗ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଜଣାଇଥିଲେ ଯେ, ରାଜ୍ୟ ସରକାର PILର ଜବାବ ଦାଖଲ କରିସାରିଛନ୍ତି। ତେବେ ଖଣ୍ଡପୀଠ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଏହି ଜବାବ ଏପର୍ଯ୍ୟନ୍ତ କୋର୍ଟ ରେକର୍ଡରେ ପହଞ୍ଚି ନାହିଁ। ସୁପ୍ରିମକୋର୍ଟ କହିଥିଲେ ଯେ, ଶୁଣାଣି ପୂର୍ବରୁ ସେମାନେ ରାଜ୍ୟ ସରକାରଙ୍କ ଜବାବକୁ ପଢ଼ିବାକୁ ଚାହୁଁଛନ୍ତି। ଏହାପରେ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣିକୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

Leave a Reply

Your email address will not be published. Required fields are marked *