ନେପାଳରେ ଅଚାନକ ବନ୍ୟା, ଜନଜୀବନ ଅସ୍ତବ୍ୟସ୍ତ

ନେପାଳ: ନେପାଳର ବିଭିନ୍ନ ଅଞ୍ଚଳରେ ଅଚାନକ ବନ୍ୟା ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ନଦୀଗୁଡ଼ିକରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ବନ୍ୟାଜଳ ପାଖାପାଖି ଅଞ୍ଚଳକୁ ମାଡ଼ି ଆସିଥିଲା। ରାତିରେ ହଠାତ୍ ପାଣି ମାଡ଼ିଆସିବାରୁ ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ମଧ୍ୟ ସୁଯୋଗ ପାଇନଥିଲେ। ସୂଚନା ଅନୁଯାୟୀ, ବନ୍ୟାର ପ୍ରଖର ସ୍ରୋତରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଡ୍ୟାମଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କେତେକ ପ୍ରକଳ୍ପର କିଛି ଅଂଶ ସମ୍ପୂର୍ଣ୍ଣ ଭାବେ ଭାସିଯାଇଥିବା ବେଳେ ଏହାଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ପ୍ରକୃତିର ଏହି କାଳରୂପ ପରେ ନେପାଳ ପ୍ରଶାସନ ଏବଂ ସୁରକ୍ଷାକର୍ମୀମାନେ ତତ୍ପରତା ପ୍ରକାଶ କରି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ କ୍ଷତିର ପ୍ରକୃତ ଆକଳନ କରିବା ସମ୍ଭବ ହୋଇନାହିଁ। ତେବେ ସରକାରଙ୍କ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ।ଜାରି ରହିଛି | ଏହି କରାଳ ବନ୍ୟାରେ ଏ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ରୁ ଅଧିକ ସୁରକ୍ଷାକର୍ମୀ ନିଖୋଜ ଥିବା କୁହାଯାଉଛି । ବନ୍ୟା ଯୋଗୁଁ ସମଗ୍ର ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

Leave a Reply

Your email address will not be published. Required fields are marked *