ଆନ୍ଧ୍ର ପଥର ଖଣି ଦୁର୍ଘଟଣା,ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ବଲିକୁରଭା ନିକଟସ୍ଥ ସତ୍ୟକୃଷ୍ଣା ଗ୍ରାନାଇଟ୍ ଖଣିରେ ରବିବାର ସକାଳେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଞ୍ଜାମ ଜିଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ। ଏହି ଘଟଣାରେ ଅନ୍ୟ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ମାଧ୍ୟମରେ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ପୁଲିସ ସୂଚନା ଅନୁସାରେ, ଖଣିରେ କାମ ଚାଲୁଥିବା ସମୟରେ ଏକ ବିଶାଳ ପଥର ଖଣ୍ଡ ଖସି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ନରସାରାଓପେଟ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି, ଯେଉଁଠାରେ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ବପଟ୍‌ଲା ଏସପି ତୁଷାର ଦୁଦୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତ୍ରାଣ କାର୍ଯ୍ୟ ତଦାରଖ କରୁଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହି ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରି ଆହତମାନଙ୍କ ଚିକିତ୍ସା ଓ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *