ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ: ଡିଜି

ଭୁବନେଶ୍ୱର :ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏଥିରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ lଏହି ଅବସରରେ ଡିଜିପି ବିନୟତୋଷ ମିଶ୍ର କହିଥିଲେ, ‘୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟଙ୍କ ସହ ଲଢ଼େଇ କରି ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ସେହି ବୀର ଯବାନଙ୍କ ଅଦମ୍ୟ ସାହସ ଓ ସର୍ବୋଚ୍ଚ ବଳିଦାନର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସମଗ୍ର ଦେଶରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି ।’ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଛନ୍ତି । ଡିଜିପି ଅମର ଶହୀଦଙ୍କ ଅତୁଳନୀୟ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରିବା ସହ ସେମାନଙ୍କ ବଳିଦାନ ସମଗ୍ର ପୋଲିସ ବାହିନୀ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ ।ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଶହୀଦ ହୋଇଥିବା ଓଡ଼ିଶା ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଡିଜିପି ସେମାନଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ। ସେମାନଙ୍କ ସାହସ, ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା କରି ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇଛି । ଏହି ବୀର ଯବାନଙ୍କ ପରିବାରବର୍ଗଙ୍କ ତ୍ୟାଗ ଓ ଧୈର୍ଯ୍ୟକୁ ସେ ସମ୍ମାନ ଜଣାଇଥିଲେ ।ଡିଜିପି କହିଥିଲେ ଯେ, ବର୍ତ୍ତମାନ ପୋଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନୁହେଁ। ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି । ଏସବୁ କ୍ଷେତ୍ରରେ ସଫଳତା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ଉପଯୋଗ ଓ ନିରନ୍ତର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *