ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହେଲା ଗ୍ରାପ୍‌-୨ କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ପକ୍ଷରୁ ଦିଲ୍ଲୀ ଓ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ୨ କଟକଣା ଲାଗୁ କରାଯାଇଛି। ସୋମବାର ଠାରୁ ଏହି କଟକଣା ଲାଗୁ କରାଯାଇଛି। ଗତ ୩୧ ତାରିଖରେ ଦିଲ୍ଲୀର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ୧୧୭ ରହିଥିଲା। ଯାହା ମଧ୍ୟମ ବର୍ଗକୁ ସୂଚିତ କରେ। ନଭେମ୍ବର ୧ରେ ଏକ୍ୟୁଆଇ ୨୬୧କୁ ବୃଦ୍ଧି ପାଇବା ପୂର୍ବକ ନିମ୍ନ ବର୍ଗକୁ ଚାଲିଯାଇଥିଲା। ନଭେମ୍ବର ୨ରେ ଏକ୍ୟୁଆଇ ୩୧୨କୁ ବୃଦ୍ଧି ପାଇବା ପୂର୍ବକ ଅତି ନିମ୍ନ ସ୍ତରକୁ ଚାଲିଯାଇଥିଲା। ଏକ୍ୟୁଆଇ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଏହାକୁ ଅତି ନିମ୍ନ ବର୍ଗ ବୋଲି ବିବେଚନା କରାଯାଇଥାଏ। ଏହି ପ୍ରକାର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ଗ୍ରାପ୍-୨ କଟକଣା ଲାଗୁ କରାଯାଇଛି। ଗ୍ରାପ୍‌-୨ କଟକଣା ସମୟରେ ରାସ୍ତାରେ ପାଣି ସିଞ୍ଚନ, ମେକାନିକାଲ ମାଧ୍ୟମରେ ରାସ୍ତା ସଫେଇ, ଗାଡି ପାର୍କିଂ ଫି ବୃଦ୍ଧି କରିବା ଭଳି ନିଷ୍ପତ୍ତି ନିଆଯାଇଥାଏ। ଏହା ସହିତ ଜରୁରିକାଳୀନ ସେବା (ଯେପରିକି ହସ୍ପିଟାଲ, ରେଳ ସେବା) କୁ ଛାଡ଼ି ଅନ୍ୟ ସମସ୍ତ ବାଣିଜ୍ୟିକ ଓ ସାଧାରଣ କାର୍ଯ୍ୟରେ ଡିଜେଲ ଜେନେରେଟର ବ୍ୟବହାର ଉପରେ ନିଷିଦ୍ଧ କରାଯାଇଛି। ହୋଟେଲ, ରେସ୍ତୋରଁା ଓ ଖୋଲା ସ୍ଥାନରେ ତନ୍ଦୁର, କୋଇଲା କିମ୍ବା ଜାଳେଣି କାଠ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି। ବ୍ୟକ୍ତିଗତ ଗାଡ଼ି (କାର, ବାଇକ) ବ୍ୟବହାରକୁ କମ୍ କରିବା ଏବଂ ଲୋକଙ୍କୁ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ପାର୍କିଂ ଫି’ ବୃଦ୍ଧି କରାଯାଇଛି। ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ପାଇଁ ସିଏନ୍‌ଜି/ଇଲେକ୍ଟ୍ରିକ୍ ବସ୍ ଓ ମେଟ୍ରୋ ଟ୍ରେନ୍‌ର ଯାତାୟାତକୁ ବୃଦ୍ଧି କରାଯିବ। ନିର୍ମାଣ କାର୍ଯ୍ୟ ସ୍ଥଳଗୁଡ଼ିକରେ ଧୂଳି ରୋକିବା ପାଇଁ କଠୋର ନିୟମ ଲାଗୁ କରାଯିବ।

Leave a Reply

Your email address will not be published. Required fields are marked *