ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ରହିଛନ୍ତି । ସେପଟେ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କୋତୱାଲି ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଭଲୁହି ଗାଁର ଏକ ପରିବାର କାର୍ ଯୋଗେ ଜଣେ ସମ୍ପର୍କୀୟଙ୍କ ଘରେ ଆୟୋଜିତ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ । ରବିବାର ବିଳମ୍ବିତ ରାତିରେ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ହାଟା କୋତୱାଲି ଥାନା ଅଞ୍ଚଳର ଥରୁଆଡିହ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ମୃଦୁଲ ମିଶ୍ର (୩୮), କନହୈୟା ପ୍ରସାଦ (୪୫), ମିଥିଳେଶ ଗୁପ୍ତା (୨୧), ରଣଜୟ ଗୁପ୍ତା (୩୭), ରାମ ମିଲନ ପ୍ରସାଦ (୩୮), ରାମବିଳାସ (୬୫) ଏବଂ ଆୟୁଷ ପ୍ରସାଦ (୧୭) । ଦୁର୍ଘଟଣା ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋରଖପୁର ସ୍ଥିତ ବିଆର୍ଡି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେହିପରି ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । କୋତୱାଲି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Related Posts
୨୦ ବର୍ଷ ପରେ AFC U20 ଏସୀୟ କପ୍କୁ ଫେରିଲା ଭାରତ
- ତେଜସ୍ୱିନୀ
- September 7, 2026
- 0
ଇଣ୍ଟରନେଟ୍-ମେଟ୍ରୋ ଷ୍ଟେସନ୍ ଚାଲୁ ରଖ; ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
- ତେଜସ୍ୱିନୀ
- October 11, 2026
- 0
