ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ୱ ପାରାମେଡିକାଲ୍‌ ଷ୍ଟାଫ୍‌

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ପୂରଣ ସହ ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ମେଡିକାଲ ଅଫିସରଙ୍କ ନିଯୁକ୍ତି ପାଇଁ ସୁବ୍ୟବସ୍ଥାକରଣ ପ୍ରକ୍ରିୟା, ମେଡିକାଲ କଲେଜରେ ପି.ଜି. ସିଟ ବୃଦ୍ଧି, ଭିତ୍ତିଭୂମି ବିକାଶ ଓ ଟେକ୍ନିକାଲ ଷ୍ଟାଫ ନିଯୁକ୍ତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଇଣ୍ଟିଗ୍ରେଟେଡ ଟ୍ରମା କେୟାର ସେଣ୍ଟର ସ୍ଥାପନ, ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି ଏବଂ ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ବେତନ, ମେଡିକାଲ ଶିକ୍ଷାରେ ସୁଧାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ସଚିବ ସଂଜୀବ ମିଶ୍ର, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *