ସୌମ୍ୟାଶ୍ରୀ ଙ୍କୁ ଉଦ୍ଧାର କରିଥିବା ଛାତ୍ର ଏବେ ଆଇସିୟୁରେ:ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କ ର ଏବେ ଚାଲିଛି ଚିକିତ୍ସା l ସୌମ୍ୟାଶ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ । ପ୍ରଥମେ ତାଙ୍କୁବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଏସ୍‌ସିବି ବର୍ଣ୍ଣ ୟୁନିଟ୍‌ର ଆଇସିୟୁ ନଂ-୯ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଥିବା ଏସ୍‌ସିବି ଆଇସିୟୁ ୟୁନିଟ୍‌ର ମୁଖ୍ୟ କହିଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି l ଘଟଣାଦିନ ଯେତେବେଳେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଲା, ସେହି ସ୍ଥାନରେ ଅନେକ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ଗୋଟିଏ କ୍ଷଣ ବି ଚିନ୍ତା ନକରି ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ଜ୍ୟୋତିପ୍ରକାଶ ଆଗେଇ ଯାଇଥିଲେ। ନିଜେ ପୋଡ଼ିହୋଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଜ୍ୟୋତିପ୍ରକାଶଙ୍କ କହିବା ଅନୁଯାୟୀ, ସେଦିନ ସେ ବିଜ୍ଞାନ ଭବନ ଆଡ଼େ ଯାଉଥିଲେ। ତାଙ୍କ ସାମନାରେ ସୌମ୍ୟାଶ୍ରୀ ଜଳିଯାଉଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଭିତରେ ସାର୍ଟରେ ନିଆଁ ଲାଗିଯାଇଥିଲା। ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିଛି ସମୟ ଭିତରେ ପାଖରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଆସି ସାହାଯ୍ୟ କରିଥିଲେ। ପରେ ସେ ନିଜେ ପୋଡ଼ି ଯାଇଥିବା ଜାଣିଥିଲେ। ତାଙ୍କର ଜଣେ ମାମୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି।

Leave a Reply

Your email address will not be published. Required fields are marked *