ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌, ସର୍ଭେ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌ ଚି଼ହ୍ନଟ ହୋଇଛି l ଚାଷ ଜମି ନୁହେଁ, କିନ୍ତୁ ରାଜ୍ୟର ୨.୭୩ ଲକ୍ଷ ପ୍ଲଟ୍‌ରେ ଚାଷ କରାଯାଇଥିବା ଦର୍ଶାଇଛନ୍ତି ଚାଷୀ। ଏଥିରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୪୯ ହଜାର ୭୧୦ ପ୍ଲଟ୍‌ ରହିଛି। ପଶ୍ଚିମଓଡ଼ିଶାର ବରଗଡ଼ ଜିଲ୍ଲାରେ ୩୮ ହଜାର ୫୬୭, ବଲାଙ୍ଗୀରରେ ୬୪୧୭, ବୌଦ୍ଧରେ ୩୧୧୩, ଝାରସୁଗୁଡ଼ାରେ ୧୦୫୪, କଳାହାଣ୍ଡିରେ ୨୦ ହଜାର ୧୨୧, ସମ୍ବଲପୁରରେ ୫୭୬୫, ସୁବର୍ଣ୍ଣପୁରରେ ୧୦ ହଜାର ୧୪୩ ଓ ସୁନ୍ଦରଗଡ଼ରେ ୧୨୧୩ ଚାଷ ହେଉନଥିବା ନକଲି ପ୍ଲଟ୍‌ ଥିବା ନେଇ ସମବାୟ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପଞ୍ଜୀକରଣରେ ଭୁଲ ତଥ୍ୟ ଏବଂ ନକଲି ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଜବାଜ ହେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ବର୍ତ୍ତମାନ ନକଲି ପ୍ଲଟ୍‌ ସଂକ୍ରାନ୍ତରେ ସାଟେଲାଇଟ୍ ସର୍ଭେକୁ ଗୁରୁତ୍ବ ଦିଆଯାଉଛି। ସାଟେଲାଇଟ୍ ସର୍ଭେ ଜରିଆରେ ନକଲି ଚାଷ ଜମି ଚିହ୍ନଟ ପ୍ରକ୍ରିୟା ୫ ବର୍ଷରୁ ଅଧିକ ସମୟ ହେଲା ଆରମ୍ଭ ହୋଇଛି। ସର୍ଭେ ପରେ ନକଲି ପ୍ଲଟ୍‌କୁ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ଦିଆଯାଏ। କିନ୍ତୁ ଚଳିତ ବର୍ଷ ପ୍ରଥମଥର ପାଇଁ ପଞ୍ଜୀକରଣ ବେଳେ ଭୁଲ ତଥ୍ୟ ଦେଇଥିବା ଓ ନକଲି ପ୍ଲଟ୍‌ର ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଦିଆଯାଇଛି।

Leave a Reply

Your email address will not be published. Required fields are marked *