MMDR ବିଲ୍‌ କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:MMDR ସଂଶୋଧନ ବିଲ୍, ୨୦୨୬କୁ ନେଇ ହେଉଥିବା ଅପପ୍ରଚାର ପାଇଁ ବିଜେଡି କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପିଏମ ମୋଦିଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ୫୦ ହଜାର କୋଟିରେ ପହଞ୍ଚିଛି । ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । 2000 ମସିହାରେ ବିଜେଡି ଶାସନ ସମୟରେ ରାଜ୍ୟର ମୋଟ ଋଣଭାର ୧୮ ହଜାର କୋଟି ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଋଣ ଭାର ଥିଲା ୬ ହଜାର ଟଙ୍କା । ୨୦୨୪ରେ ନବୀନ ବାବୁ ଶାସନରୁ ଗଲାବେଳକୁ ରାଜ୍ୟର ମୋଟ ଋଣଭାର ୯୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଥିବା ବେଳେ ଏବଂ ମୁଣ୍ଡପିଛା ଋଣଭାର ଥିଲା ୨୬ ହଜାର ଟଙ୍କା । ବିଜେଡି ଶାସନରେ ଖଣି ରାଜସ୍ୱ ୫ ହଜାର କୋଟି ଭିତରେ ସୀମିତ ଥିଲା । ନିର୍ଦ୍ଦିଷ୍ଟ ପରିବାର ଓ କମ୍ପାନୀଙ୍କୁ ଶାଗମାଛ ଦରରେ ଖଣି ବଣ୍ଟାଯାଉଥିଲା ।୨୦୧୫ରେ ମୋଦି ସରକାର ଏମଏମଡିଆର ଆଇନରେ ଐତିହାସିକ ସଂଶୋଧନ ଆଣି ମନମୁଖୀ ଖଣି ବଣ୍ଟନ ବନ୍ଦ କଲେ ଏବଂ ସ୍ୱଚ୍ଛ ‘ନିଲାମ’ ପ୍ରକ୍ରିୟା ବାଧ୍ୟତାମୂଳକ କରି ପାରଦର୍ଶିତା ଆଣିଲେ । ଏଥିସହିତ Ad Valorem ରୋୟାଲଟିକୁ ମଧ୍ୟ ୧୦% ରୁ ୧୫% କୁ ବୃଦ୍ଧି କରାଗଲା । ରାଜ୍ୟରେ ଜନହିତକର ଯୋଜନା ପାଇଁ DMF ବ୍ୟବସ୍ଥା ମଧ୍ୟ କରାଗଲା। ଏହି ସ୍ୱଚ୍ଛ ନୀତି ଯୋଗୁଁ ହିଁ ଯେଉଁ ଖଣିଜ ଆୟ ୫,୦୦୦ କୋଟି ଟଙ୍କାରେ ଅଟକିଥିଲା, ତାହା ୧୦ ଗୁଣା ବୃଦ୍ଧି ପାଇ ଆଜି ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠି ଜରିଆରେ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି । ଏହା ଆପଣଙ୍କର ନୁହେଁ, ବରଂ ମୋଦି ସରକାରଙ୍କ ସ୍ୱଚ୍ଛ ନୀତି ଓ ରିଫର୍ମର ପ୍ରତିଫଳନ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *