ଭୁବନେଶ୍ୱର ବିମାନବନ୍ଦରରେ ଟର୍ମିନାଲ ୩ ର ଯୋଜନା, ‘ଉଡ଼ାଣ ଯାତ୍ରୀ କାଫେ’ରେ ମିଳିବ ଶସ୍ତାରେ ଖାଦ୍ୟ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ସଂପ୍ରସାରଣ ହେବ ଏବଂ ଟର୍ମିନାଲ-୩ ନିର୍ମାଣ ହେବା ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବାବେଳେ ଯଥାଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଭୁବନେଶ୍ୱରରେ ଆୟୋଜିତ ବି-ମାନ୍ (B-MAAN) ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବେସାମିରକ ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ । ଏହା ପୂର୍ବରୁ ସେ କହିଛନ୍ତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରର ସଂପ୍ରସାରଣ କାମ ଖୁବଶୀଘ୍ର ଆରମ୍ଭ ହେବ । ଟର୍ମିନାଲ-୧ ଏବଂ ୨ ଯଥା ଗୋଟିଏ ଘରୋଇ ଏବଂ ଅନ୍ତର୍ଜାତୀୟ ଟର୍ମିନାଲ ରହିଛି । ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏବେ ଟର୍ମିନାଲ-୩ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ସ୍ଥାନ ଦିଆଯିବ । ଏଥିପାଇଁ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ‘ଉଡ଼ାଣ ଯାତ୍ରୀ କାଫେ’ର ଶୁଭ ଉଦଘାଟନ କେନ୍ଦ୍ର ମନ୍ତ୍ରୀଙ୍କ କରକମଳରେ କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ। ଏହାଦ୍ଵାରା ଯାତ୍ରୀମାନେ କମ୍ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ। ଗତବର୍ଷ ଡ଼ିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା। ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେରେ ମଧ୍ୟରେ ଖୋଲିଛି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା । ଆସନ୍ତା ଏକବର୍ଷ ମଧରେ ଦେଶର ୧୦ ରୁ ୧୫ ବଡ଼ ବିମାନବନ୍ଦରରେ ଏହି କାଫେ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *