ଆମେରିକା ର ଶୁଳ୍କ ବୃଦ୍ଧି,ସଙ୍କଟରେ ଚିଙ୍ଗୁଡ଼ି ଶିଳ୍ପ

ଭୁବନେଶ୍ୱର: ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ। ଓଡ଼ିଶା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ୨୦୨୪-୨୫ରେ ଓଡ଼ିଶା ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରିଥିଲା। ତାହାର ଏକ ତୃତୀୟାଂଶ କେବଳ ଆମେରିକାକୁ ପଠାଯାଇଥିଲା। ହଠାତ୍‌ ମାଡ଼ି ଆସିଥିବା ସଙ୍କଟକୁ ନେଇ ସିଫୁଡ୍‌ ରପ୍ତାନିକାରୀ, ମତ୍ସ୍ୟଚାଷୀ ଓ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ସମୟରେ ସିଫୁଡ୍‌ ରପ୍ତାନି କ୍ଷେତ୍ରକୁ ଉଦ୍ଧାର ଲାଗି ସିଫୁଡ୍‌ ରପ୍ତାନିକାରୀ ଫାଲ୍‌କନ୍ ମେରାଇନ୍ ଏକ୍ସପୋର୍ଟସ୍‌ର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତାରାରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆମେରିକା ଶୁଳ୍କଜନିତ ପ୍ରଭାବରୁ ଚିଙ୍ଗୁଡ଼ି ଶିଳ୍ପ ଓ ଚାଷୀମାନଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ସରକାରଙ୍କ ପ୍ରୋକ୍ୟୁରମେଣ୍ଟ୍ କାର୍ଯ୍ୟକ୍ରମରେ ଚିଙ୍ଗୁଡ଼ିକୁ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଚିଠି ଲେଖି ସେ କହିଛନ୍ତି ଯେ ସ୍ଥଳସେନା, ଅର୍ଦ୍ଧସାମରିକ ବଳ, ଅନ୍ୟାନ୍ୟ ସରକାରୀ ପୁଷ୍ଟିସାଧନ ଯୋଜନା ଏବଂ କଲ୍ୟାଣକାରୀ ବଣ୍ଟନ କାର୍ଯ୍ୟକ୍ରମରେ ଚିଙ୍ଗୁଡ଼ିକୁ ସାମିଲ କରାଯାଉ। ଏହା ହେଲେ ଦେଶ ଭିତରେ ଚିଙ୍ଗୁଡ଼ି ଚାହିଦା ବଢ଼ିବ ଏବଂ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭରଶୀଳତା କମ୍ ହୋଇପାରିବ।ଶୁଳ୍କଜନିତ କ୍ଷତି ଭରଣା କରିବା ଲାଗି ବିକଳ୍ପ ବଜାର ଖୋଜିବାକୁ ପଡ଼ିବ।ଏ ପରିସ୍ଥିତିରେ ସିଫୁଡ୍ ଉତ୍ପାଦନକାରୀ ଓ ରପ୍ତାନିକାରୀମାନଙ୍କ ପାଇଁ ସରକାରୀ ସହାୟତା ଏକମାତ୍ର ଭରସା ବୋଲି ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *