ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର: ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ, ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି। କେଉଁ ବିଭାଗର କେତେ ପଦବୀ ଖାଲି ରହିଛି ଏବଂ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ‘ପ୍ରତି ଶନିବାର ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ ହେବ। ବର୍ତ୍ତମାନ ସୁଦ୍ଧା ବଜେଟର ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଆଉ ଆଢେଇ ମାସ ଭିତରେ ବଳକା ବଜେଟକୁ ଦୃତ ଗତିରେ ଖର୍ଚ୍ଚ କରିବାକୁ ବୈଠକରେ ଗୁରୁତ୍ଵ ଦିଆଯାଇଛି। ରାଜସ୍ବ କେମିତି ବିଭିନ୍ନ ଉତ୍ସରୁ ଆସିପାରିବ ବିଭାଗ ସେଥିପ୍ରତି ଦାୟିତ୍ଵବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯିବ। ଜିଲ୍ଲାର ସ୍ଥିତି ସମ୍ପର୍କରେ ବି ମାନସ ମନ୍ଥନ ହେବ। ସମସ୍ତ ବିଭାଗର ସଚିବମାନେ ମଧ୍ୟ ଅନ୍ୟ କୌଣସି ଦିନ ବୈଠକ ନଡାକି ସେହିଦିନ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିପାରିବେ। ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ସୂତ୍ରି ଉପରେ ବିଭାଗ ଗୁଡିକ କ’ଣ ନିଜେ ନିଜର ପ୍ରସ୍ତୁତି କରିଛନ୍ତି ତା ଉପରେ ବୈଠକରେ ଆଲୋଚନା ହୋଇଛି। ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ମୁଖ୍ୟ ଲକ୍ଷ୍ୟ ରହିଛି। ସଚିବମାନେ ଫିଲ୍ଡ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବେ। ଏହା ସହ ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟ ଉପରେ ବିଭାଗ ଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *