ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ:ଓଡ଼ିଶା ପୋଲିସ

ଭୁବନେଶ୍ଵର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ପୀଡ଼ିତା ଆଖି ବୁଜିଛନ୍ତି। ଜୁଲାଇ ୧୯ରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସମର୍ଥ ହୋଇ ପାରିନାହିଁ। ଏହା ମଧ୍ୟରେ ଓଡ଼ିଶା ପୋଲିସ ଏକ୍ସରେ ଟୁଇଟ୍ କରି ଘଟଣାର ତଦନ୍ତକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି। ଓଡ଼ିଶା ପୋଲିସ ଏକ୍ସରେ ଲେଖିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ। ଓଡ଼ିଶା ପୋଲିସର ଏହି ପୋଷ୍ଟ ପରେ ଘଟଣାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି। କାରଣ ବୟାନ ରେକର୍ଡ ସମୟରେ ବି ବଳଙ୍ଗା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁ ନ ଥିଲା। ଭୁବନେଶ୍ଵର ଏମ୍ସରେ ପୀଡ଼ିତା ଦେଇଥିବା ବୟାନ ଏବଂ ଦିଲ୍ଲୀ ଏମ୍ସରେ ବୟାନ ମଧ୍ୟରେ ତାଳମେଳ ରହି ନ ଥିଲା। ଫଳରେ ତଦନ୍ତରେ ପୋଲିସକୁ ବଳିଷ୍ଠ ପ୍ରମାଣ ମିଳି ପାରି ନ ଥିଲା।

Leave a Reply

Your email address will not be published. Required fields are marked *