ଭୁବନେଶ୍ୱର: ହର୍ଣ୍ଣ ମାରିବାକୁ ନେଇ ରାଜଧାନୀରେ ତୁମୁଳ କାଣ୍ଡ । ଗାଡ଼ିର ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ ବିବାଦ ଉଗ୍ର ରୂପ ନେଇଥିଲା। ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ ASOଙ୍କୁ ରାସ୍ତାରେ ନିର୍ଦ୍ଧୁମ ପିଟିଲେ। ରାସ୍ତାରେ ଯାଉଥିବା ସାମ୍ବାଦିକ ଏଏସଓଙ୍କୁ ବଞ୍ଚାଇବାରୁ ସାମ୍ୱାଦିକଙ୍କୁ ମଧ୍ୟ ଆକ୍ରମଣ କଲେ । ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଏଏସଓଙ୍କ ନାମ ତାପସ ନାୟକ। ରାସ୍ତାରେ ଯାଉଥିବା ସମୟରେ ସେ ଦୁଇ ଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ସାଇଡ୍ ଦେବା ପାଇଁ ହର୍ଣ୍ଣ ମାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେହି ୩ ଜଣ ତାଙ୍କୁ ଗାଡ଼ିରୁ ରାସ୍ତା ଉପରକୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଜଣେ ସାମ୍ବାଦିକ ଏହା ଦେଖି ଏଏସଓଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ପ୍ରାଣ ବିକଳରେ ସାମ୍ବାଦିକ ଜଣକ ନିକଟସ୍ଥ ରବୀନ୍ଦ୍ର ମଣ୍ଡପ ଭିତରକୁ ପଶିଯାଇଥିଲେ। ତେବେ ଦୁର୍ବୃତ୍ତମାନେ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ। ଏହି ଖବର ପାଇ ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଅଭିଯୁକ୍ତମାନେ ପୋଲିସ ଅଧିକାରୀଙ୍କୁ ଠେଲାପେଲା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ସମୟର ଧସ୍ତାଧସ୍ତି ପରେ ପୋଲିସ ଆହତ ଏଏସଓ ଏବଂ ସାମ୍ବାଦିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ, ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦମ୍ପତିଙ୍କ ସମେତ ସମୁଦାୟ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ:
