ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ

ଭୁବନେଶ୍ୱର: ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ l ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ବିଜେଡି ଅଭିଯୋଗ କରିଛି ଯେ ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ ବିଭିନ୍ନସ୍ତରରେ ଜନସାଧାରଣଙ୍କ କ୍ଷୋଭ ବଢ଼ୁଛି। ପ୍ରଥମେ ଚାଷୀଙ୍କୁ ସାର ଦେବା ପାଇଁ ସରକାର ହଇରାଣ କଲେ। ଧାନ ଉତ୍ପାଦନ ପରେ ଧାନକିଣା ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରି ନାହିଁ। ରାଜ୍ୟର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଚଳିତବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ଏବେ ସୁଦ୍ଧା ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନ୍‌ରୁ ମାତ୍ର ୨୯% ଅର୍ଥାତ ୨୫ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ଯାଇଛି।ରାଜ୍ୟରେ ମଣ୍ଡି ଖୋଲିବାରେ ବିଳମ୍ୱ ହେବାରୁ କ୍ଷୁଦ୍ର ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି l ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ୪୦ ହଜାରରୁ ଅଧିକ ମହିଳା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଛି। ବିଜେଡି ସଭାପତିଙ୍କ ନିର୍ଦେଶକ୍ରମେ ଆସନ୍ତା ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ଜିଲାରେ ବିକ୍ଷୋଭ କରାଯିବ। ଏ ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *