ବିଧାନସଭା ଘେରାଉ କରିବ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅରୁଣ ସାହୁ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ରହି ବିଜେପିକୁ ଟାର୍ଗେଟ କରିଛନ୍ତି। ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି। ୧୪ ମାସର ସରକାରରେ ପଂଚାୟତକୁ ୨୮ ସରକୁଲାର ଜାରି ହୋଇଥିବା ଅଭିଯୋଗ। କର୍ମୀଙ୍କୁ ସୁହାଇଲା ଭଳି ସରକାର ଜାରି କରିଛନ୍ତି ସରକୁଲାର। ଯେମିତି କର୍ମୀମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ବଡ଼ ଅଭିଯୋଗ ଆଣିଛି ବିଜେଡି।
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗାଁରେ ରହୁଥିବା ଲୋକଙ୍କ ଅଧିକାରକୁ ଚଳିତ ସରକାର ଧ୍ୱସ୍ତ କରୁଛନ୍ତି। ବିଧି ବ୍ୟବସ୍ଥାକୁ ହନନ କରୁଛନ୍ତି। ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି ସେଥିରେ ଉଚ୍ଚାରଣ ଆଚରଣ ଅଲଗା। ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି। ପିଏମ ଆବାସ ଯୋଜନା ୪୩୧୦ କୋଟିରୁ ୮୨୫ କୋଟି ହୋଇଛି। ୩୭ ଲକ୍ଷ ଘର ସର୍ଭେ କରାଗଲା ଏ ଯାଏ କିଛି କରାଗଲା ନାହିଁ। ଅନ୍ତଦୟ ଆବାସ ଯୋଜନା ଆରମ୍ଭ କଲେ। ଏଥିପାଇଁ ୨୪ କୋଟି ଖର୍ଚ୍ଚ ହୋଇଥିଲେ ବି ଏଯାଏ କୋଅର୍ଡିନେଟରଙ୍କ ଦରମା ବି ମିଳିନି। ନରେଗାରେ ମଜୁରୀ ମିଳୁନି। ଆମ ଓଡ଼ିଶା ନବୀନ ଓଡିଶାରେ ୪୨୦୦ କୋଟି ବଜେଟ ଥିଲା ନବୀନ ସରକାରରେ। କିନ୍ତୁ ଯୋଜନା ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା କରି ଅର୍ଥ ବରାଦ କମାଇ ଦିଆଯାଇଛି। ସାଧାରଣ ଲୋକଙ୍କ ସରକାର କହୁଛନ୍ତି କିନ୍ତୁ ଲୋକଙ୍କ ସ୍ୱର ଶୁଣିପାରୁ ନାହାନ୍ତି। କର୍ମୀଙ୍କୁ ପୋଷିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି। ଏହାକୁ ବିରୋଧ କରି ଆସନ୍ତା ୨୩ ତାରିଖ ବିକ୍ଷୋଭ ପ୍ରଦର୍ଶନ ହେବ।

Leave a Reply

Your email address will not be published. Required fields are marked *