ତହସିଲଦାରଙ୍କୁ ମିଳିଲା ପୁରୁଣା ପଞ୍ଜୀକୃତ କବଲା ସଂଶୋଧନ କରିବାର କ୍ଷମତା

ଭୁବନେଶ୍ୱର: ରାଜ୍ୟରେ ଜମି କ୍ରେତା ଓ ବିକ୍ରେତାମାନଙ୍କର ଦୀର୍ଘଦିନର ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ପଞ୍ଜିକୃତ କବଲା କିମ୍ବା ଅନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡରେ ସଂଶୋଧନ ନିମନ୍ତେ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ୍‌ସରେ ସଂଶୋଧନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ଏବେ ପ୍ରଚଳିତ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣାଯାଇଥିବା ଜମିର ଜମି ପଟ୍ଟା (RoR) କ୍ରେତାଙ୍କ ନାମରେ ନଥିଲେ, ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ (Revision Court)ରେ ଅପିଲ କରିବାକୁ ପଡୁଥିଲା । ମାତ୍ର ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ସମ୍ପୃକ୍ତ କୋର୍ଟରେ ପଡ଼ି ରହୁଥିଲା,ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ବେଶ୍ ସମସ୍ୟା ଭୋଗିବାକୁ ପଡ଼ୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା ଏହି ନିଷ୍ପତ୍ତି ପରେ ଏଭଳି ମାମଲାରେ ଜମି ପଟ୍ଟାକୁ କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସମ୍ପୃକ୍ତ ତହସିଲଦାରମାନେ ସିଧାସଳଖ କ୍ଷମତାପ୍ରାପ୍ତ ହେବେ । ଏହି ସଂଶୋଧନ ପରେ ଏସବୁ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ନୂଆ ନିୟମ ଫଳରେ ଯେଉଁ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ ଜମି କିଣିଛନ୍ତି, ସେମାନେ ଉକ୍ତ ଜମିର ପଟ୍ଟା ନିଜ ନାମରେ କରିବା ପାଇଁ ସିଧାସଳଖ ସମ୍ପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ଆଉ ସେମାନଙ୍କୁ ରାଜସ୍ୱ ପର୍ଷଦ କିମ୍ବା ରିଭିଜନ କୋର୍ଟରେ ଅପିଲ କରିବାକୁ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *