ବୋର୍ଡ଼ସ୍କୁଲ୍‌ରେ କ୍ୟାରିୟର କାଉନସେଲିଂ କର୍ମଶାଳା

ଅଦ୍ୟ ତା ୧୮.୧୦.୨୫ ରିଖ, ଶନିବାର ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୮୬ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରେରଣାଦାୟୀ କଥା ଓ କ୍ୟାରିଅର କାଉନସେଲିଂ ସିରିଜ୍‌ର ପ୍ରଥମ କର୍ମଶାଳା “ ଆନିମେସନ କ୍ଷେତ୍ରରେ କ୍ୟାରିୟର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତ୍ୟାରୀ ସାହୁ ମୁଖ୍ୟଅତିଥିଭାବେ ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ପସଖା ଶିକ୍ଷା ସେତୁ କମିଟି ସଭାପତି ପୁଣ୍ୟଶ୍ଳୋକ ଦାସ, ବିଦ୍ୟାଳୟ ପ୍ରାକ୍ତନ ଛାତ୍ରସଂସଦ ସମ୍ପାଦକ ସୁବ୍ରତ ମହାନ୍ତି ଓ ଉପସଭାପତି ଅମିୟ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥିଭାବେ ଏହି କର୍ମଶାଳାରେ ଯୋଗଦାନ କରିଥିଲେ ।ବୋର୍ଡ଼ ହାଇସ୍କୁଲ୍ ୧୯୮୬ ମସିହା ଛାତ୍ର ତ‌ଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଚିତ୍ର ଉପନ୍ୟାସକାର ରଣଜିତ୍ ମହାନ୍ତି ଆନିମେସନ କ୍ଷେତ୍ରରେ କ୍ୟାରିୟର ଗଠନ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବାସହ ନିଜ ସହଯୋଗୀଙ୍କ ସହାୟତାରେ ଆନିମେସନ ତିଆରିର ଜୀବନ୍ତ କୌଶଳ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ଆନିମେସନ ପ୍ରସ୍ତୁତି କୌଶଳ ଦେଖିବା ସହ ନିଜେ ମଧ୍ୟ ଆନିମେସନ ପ୍ରସ୍ତୁତ କରି ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ । ଭାରତ ତଥା ବିଶ୍ଵର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୯୮୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ଯୋଡି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକ ମାସରେ ଏହିପରି ଏକ କର୍ମଶାଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିବା କଥା ଉକ୍ତ ବ୍ୟାଚ୍ ଛାତ୍ର ପାର୍ଥ ପ୍ରତୀମ ପ୍ରକାଶ କରିଥିଲେ । ଏହି ଅବସରରେ ୧୯୮୬ ବ୍ୟାଚ୍ ଛାତ୍ରଛାତ୍ରୀ ଅଶୋକ ଦାସ,କୈଳାସ ଚନ୍ଦ୍ର ଶତପଥୀ, ସୁକାନ୍ତ ଶତପଥୀ,ଅନିନ୍ଦ୍ୟ ସାମଲ, ସୁବ୍ରତ କୁମାର ରାୟ ଚୌଧୁରୀ, ମାନସୀ ଧଳ, ମମତା ମହାନ୍ତି ଓ ପ୍ରାକ୍ତନ ଛାତ୍ର ରଶ୍ମିରଞ୍ଜନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ ଆୟୋଜନ କରିଥିଲେ ।ଏହି ଅବସରରେ ମୁଖ୍ୟଅତିଥି ଦୈତ୍ୟାରୀ ସାହୁ ଓ ଚିତ୍ର ଉପନ୍ୟାସକାର ରଣଜିତ୍ ମହାନ୍ତିଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପିତା ନାୟକ,ସୌଭାଗ୍ୟମଞ୍ଜରୀ ମହାପାତ୍ର, ପ୍ରମିଳା ଜେନା, ଗୌରାଙ୍ଗ ଚନ୍ଦ୍ର ଘଡ଼ାଇ, ମଦନ ମୋହନ ବେହେରା, ସ୍ମୃତିଲିପ୍ପା ସାହୁ, ସୁଚିସ୍ମିତା ରଥ,ସାଗରୀକା ମହାନ୍ତି, କର୍ମଚାରୀ ପ୍ରଶାନ୍ତ ମହାନ୍ତି ଓ ଅମର ପ୍ରସାଦ ମହାନ୍ତି ପ୍ରମୁଖ କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ । ପ୍ରକାଶଥାଉକି ଉକ୍ତ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ନିକଟ ଅତୀତରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦନ୍ତ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିବା ସହ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀକୁ ଷ୍ଟିଲ୍ ଆଲମିରା, ଆକ୍ସାଗାର୍ଡ ଫିଲଟର ଓ ପିଲାଙ୍କ ପ୍ରତିଭାର ପ୍ରଦର୍ଶନ ନିମନ୍ତେ ଏକ ଡ଼ିଜିଟାଲ ଏଲଇଡି ଷ୍ଟାଣ୍ଡି ପ୍ରଦାନ କରିଛନ୍ତି । ବିଦ୍ୟାଳୟ ପ୍ରତି ଅଦ୍ଭୁତପୂର୍ବ ଭଲପାଇବା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସ‌ହାୟତା ନିମନ୍ତେ ପ୍ରଧାନଶିକ୍ଷକ ଅଶୋକ କୁମାର ଶତପ‌ଥୀ ୧୯୮୬ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *