ଦିଲ୍ଲୀର ସତ୍ୟ ନିକେତନରେ ୪ ମହଲା କୋଠା ଭୁଶୁଡ଼ିଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନରେ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଧ୍ୱସ୍ତ କୋଠାରେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସତ୍ୟ ନିକେତନ ହେଉଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍ ନିକଟରେ ଅବସ୍ଥିତ ଏକ ଅଞ୍ଚଳ, ଯେଉଁଠାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବାସ କରନ୍ତି। ଭୁଶୁଡ଼ି ପଡ଼ିଥିବା କୋଠାଟିରେ ଏକ ଛାତ୍ରାବାସ ଚାଲୁଥିଲା; ଫଳରେ ଏହି ଘଟଣାରେ ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭଗ୍ନାବଶେଷ ମଧ୍ୟରୁ ଛଅ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି କୋଠାଟି ପେଇଂ ଗେଷ୍ଟ ବାସସ୍ଥାନ ଭାବେ ଚାଲିଥିଲା। ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଥିବା ଅନୁମାନ କରାଯାଉଛି | ଅନ୍ୟପକ୍ଷରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ, ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ପ୍ରଦାନକାରୀ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ୧୨ଟି ଦଳ ନିୟୋଜିତ ଅଛନ୍ତି। ଅଗ୍ନିଶମ ବିଭାଗର ଦଳଗୁଡ଼ିକ ସତର୍କତାର ସହ ଭଗ୍ନାବଶେଷ ହଟାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଘଟଣା ସଂପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *