ଜିଲ୍ଲାପାଳ ଓ ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ସୁରକ୍ଷାରେ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼

କୋଣାର୍କ: ଏଥର ପବିତ୍ର ମାଘ ସପ୍ତମୀ ରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ପୂର୍ବ ରାତିରୁ ଚନ୍ଦ୍ରଭାଗା ମେଳା ପଡ଼ିଆକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚନ୍ଦ୍ରଭାଗା ଓ ନବଗ୍ରହ ପୀଠରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚନ୍ଦ୍ରଭାଗା ତୀର୍ଥକୁ ଭୁବନେଶ୍ୱର, ପୁରୀ ଓ କାକଟପୁରରୁ ଆସୁଥିବା ଯାନବାହାନ ନିୟନ୍ତ୍ରଣ, ବାଇକ, କାର୍ ଓ ବସ୍ ପାର୍କିଂ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବ୍ୟାରିକେଡ୍ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ତୀର୍ଥ ପୁଷ୍କରିଣୀରେ ୭ଟି ପ୍ରବେଶ ଓ ପ୍ରସ୍ଥାନ ପଥରେ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳା ସହିତ ବୁଡ଼ ପକାଇବା ବ୍ୟବସ୍ଥା, ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ପୁରୀରୁ ଆସୁଥିବା ଯାନବାହାନ ରାମଚଣ୍ଡୀ ଛକରେ ପାର୍କିଂ କରିବ । ଭୁବନେଶ୍ୱରରରୁ ଆସୁଥିବା ଯାନବାହାନ ଆଇଓସିଏଲ ବସ ପାର୍କିଂ ଓ ହେଲିପ୍ୟାଡରେ ପାର୍କିଂ କରିବ । ଷଷ୍ଠୀ ରାତି ଓ ସପ୍ତମୀ ସକାଳ ପର୍ଯ୍ୟନ୍ତ ମାଜିଷ୍ଟ୍ରେଟଙ୍କ ଗାଡ଼ି, ଆମ୍ବୁଲାନ୍ସ, ପୁଲିସ, ଅଗ୍ନିଶମ ଗାଡ଼ି ପ୍ରତି କଟକଣା ଲାଗୁ ହେବ ନାହିଁ । ଗଣମାଧ୍ୟମ ଗାଡ଼ି ଚନ୍ଦ୍ରଭାଗା ମୁଖ୍ୟ ପାର୍କିଂସ୍ଥଳରେ ପାର୍କିଂ କରିବ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଶରତ ଚନ୍ଦ୍ର ବେହେରା, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ବିଡିଓ ଛବିରାଣୀ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡା, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, କୋଣାର୍କ, ଚନ୍ଦ୍ରଭାଗା ମେରାଇନ ଓ ରାମଚଣ୍ଡୀ ଥାନା ଆଇଆଇସି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *