ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ଆଜି ଠାରୁ ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିବ। ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ମହାସଂଘ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭର ଆନ୍ଦୋଳନରେ ସାମିଲ ହେବେନି। ବାକି ସମସ୍ତ ଚାଳକ କାଲିଠାରୁ ଗାଡ଼ି ଚଳାଇବେ ନାହିଁ। ତେବେ ଏହାକୁ ବିରୋଧ କରିଛି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ। ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚାଳନା ଜାରି ରଖିବୁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସରକାର ବାରମ୍ବାର ଆମକୁ ପ୍ରତାରିତ କରିଥିବାରୁ ଆମେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛୁ। ଆମର ନ୍ୟାଯ୍ୟ ଦାବି ପ୍ରତି ସରକାର ଉଦାସୀନ ରହିବାରୁ ଶେଷ ଥର ପାଇଁ ମାର୍ଚ୍ଚ ମାସରେ ଆମେ ଲୋୟର ପିଏମ୍‌ଜିରେ ୬ ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲୁ। କିନ୍ତୁ ସରକାର ଆଜି ଯାଏ କୌଣସି ପଦକ୍ଷେପ ନେଲେ ନାହିଁ। ଗତ ୯ ତାରିଖରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରି ଏକ ମାସ ସମୟ ଦେଇଥିଲୁ। କିନ୍ତୁ କିଛି ହେଲା ନାହିଁ। ତେଣୁ ମଙ୍ଗଳବାରଠାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ। ଅପରପକ୍ଷେ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚର ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି ଯେ କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର ସଂଘ ଆନ୍ଦୋଳନକୁ ସମର୍ଥନ କରୁନାହିଁ। ରାଜ୍ୟରେ ୩୬ଟି ସଂଘ ଥିବାବେଳେ ଗୋଟିଏ ସଂଘ ଡାକରାକୁ ସମର୍ଥନ କରାଯାଇ ପାରିବ ନାହିଁ। ନିଜର ଆଧିପତ୍ୟ ଜାହିର ପାଇଁ ଡ୍ରାଇଭର ମହାସଂଘ ଏପରି ଡାକରା ଦେଇଛି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *