ବିନା ନୋଟିସ୍‌ରେ ଭୋଟରଙ୍କ କଟିବନି ନାମ: ଇସି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା ଆଗୁଆ ନୋଟିସ୍‌ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ। ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀମାନେ ଅଦାଲତଙ୍କୁ ବିଭ୍ରାନ୍ତ କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି ବୋଲି ଆୟୋଗ ଅଭିଯୋଗ କରିଛନ୍ତି। ସେମାନଙ୍କର ଏଭଳି ଷଡ୍‌ଯନ୍ତ୍ରପୂର୍ଣ୍ଣ ପ୍ରୟାସକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତଙ୍କୁ କମିସନ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରାକୃତିକ ନ୍ୟାୟ ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୫ ଅଗଷ୍ଟ ପହିଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରୁ କୌଣସି ମତଦାତାଙ୍କ ନାମ ହଟାଇବା ପୂର୍ବରୁ ପର୍ଯ୍ୟାପ୍ତ ଆଧାର ଉପରେ ଗୁରୁତ୍ବ ଦିଆଯିବ। ସବୁକିଛି ଯାଞ୍ଚ ଓ ଶୁଣାଣି ପରେ ହିଁ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏ ବାବଦ ଆଦେଶ ପ୍ରଦାନ କରାଯିବ ବୋଲି କମିସନ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବେଆଇନ ବୋଲି ଦର୍ଶାଇଛନ୍ତି। ମନମୁଖି ଭାବେ ଦସ୍ତାବିଜ ଦାବି କରି କମିସନ ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ବଞ୍ଚିତ କରୁଛନ୍ତି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଏହି ପ୍ରକ୍ରିୟାକୁ ‘ଭୋଟ୍ ଚୋରି’ ବୋଲି କହି ଏହା ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *