ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ

କଟକ: ଆଗାମୀ ପଞ୍ଚାୟତ ଏବଂ ସହରାଞ୍ଚଳ ପରିଷଦ ସାଧାରଣ ନିର୍ବାଚନ ନିମନ୍ତେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଆଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅଧୀନ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସମ୍ମିଳନୀ ଶନିବାର ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଯୋଗ ଦେଇ ଏକ ସ୍ୱଚ୍ଛ, ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ବିବିଧ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିଲେ । ଘରକୁ ଘର ବୁଲି ସର୍ଭେ କରିବା, ମୃତ ଭୋଟରମାନଙ୍କ ନାମ ବାଦ ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଆଗାମୀ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ ଦିଗରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ବ୍ୟାଲଟ ବାକ୍ସର ବର୍ତ୍ତମାନର ସ୍ଥିତି ସମୀକ୍ଷା, ଗୋଟିଏ ସ୍ଥାନରେ ୫ଟିରୁ ଅଧିକ ବୁଥ ନରଖିବା, ଅଧିକ ବୁଥ ଥିବା ସ୍ଥାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା, ବାଲଟ କାଗଜ ପ୍ରିନ୍ଟିଂ, ଉଭୟ ଭୋଟ ଗଣତି କେନ୍ଦ୍ର ଚିହ୍ନଟ ସମସ୍ତ ବିଡ଼ିଓ ଏବଂ ନିର୍ବାଚନ ଅଧିକାରୀ ମାନଙ୍କ ଦ୍ୱାରା ସହରାଞ୍ଚଳ ପରିଷଦ ବୁଥ ଗୁଡିକର ନିରୂପଣ ଆଦି ଜରୂରୀ ବୋଲି ଶ୍ରୀ ପାଢ଼ୀ ତାଙ୍କ ଆଲୋଚନା ମାଧ୍ୟମରେ ଦର୍ଶାଇଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଉକ୍ତ ସମ୍ମିଳନୀରେ ପୌରାହିତ୍ୟ କରି ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ସହରାଞ୍ଚଳ ପରିଷଦ ସାଧାରଣ ନିର୍ବାଚନ ପ୍ରକ୍ରିୟା ଅବାଧ, ମୁକ୍ତ ଏବଂ ନିରପେକ୍ଷ ଭାବେ ସମ୍ପାଦନ ଦିଗରେ ପରାମର୍ଶ ଦେଇଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ସନ୍ତୋଷ ଦାସଙ୍କ ପକ୍ଷରୁ ଏ ସମ୍ପର୍କରେ ବିବିଧ ଗୁରୁତ୍ୱପୂର୍ଣ୍ଣ ସୂଚନା ପିପିଟି ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା। କଟକ, ଖୋର୍ଦ୍ଧା, ବାଲେଶ୍ୱର, ପୁରୀ କେନ୍ଦ୍ରାପଡା, ଜଗସିଂହପୁର, ଭଦ୍ରକ, ମୟୁରଭଞ୍ଜ, ନୟାଗଡ଼, ଯାଜପୁର ଜିଲ୍ଲାପାଳ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *