ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ ହଜିଯାଇଥିବା କଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି l ନୟାଗଡ଼ର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରେସ ବିବୃତ୍ତିରେ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଡ. ଅରୁଣ କୁମାର ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭଳି ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ଧନଜୀବନ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କେତେ ସୁରକ୍ଷିତ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । କେଉଁ ଫାଇଲ ହଜିଛି? ଫାଇଲ ସତରେ ହଜିଛି ନା ଜାଣିଶୁଣି ହଜେଇ ଦିଆଯାଇଛି? ରାଜ୍ୟ ସରକାର ଦାବି କରୁଛନ୍ତି ଯେ ଅନଲାଇନ୍ ଫାଇଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଉଛି । ଯଦି ଏହା ସତ, ତେବେ ହାର୍ଡ କପି ଫାଇଲ କିପରି ହଜିଲା? ଏହାର ସମ୍ପୂର୍ଣ୍ଣ ସତ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ଡ. ସାହୁ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଏହି ଫାଇଲ କେଉଁ ପର୍ଯ୍ୟାୟରେ ହଜିଲା? ଫାଇଲ ମୁଭମେଣ୍ଟ ରେଜିଷ୍ଟରରେ କ’ଣ ତଥ୍ୟ ରହିଛି? ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି କି? ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିଲା କି ନାହିଁ? ଏହି ସମସ୍ତ ପ୍ରଶ୍ନର ଉତ୍ତର ସରକାର ଦେବା ଉଚିତ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ନିଖୋଜ ହେବା ଘଟଣା କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ଜନସାଧାରଣଙ୍କ ବିଶ୍ୱାସ ସହ ଜଡିତ ଏକ ଗମ୍ଭୀର ପ୍ରସଙ୍ଗ । ରାଜ୍ୟବାସୀ ସତ୍ୟ ଜାଣିବାକୁ ଚାହୁଁଛନ୍ତି । ସରକାର ଏହି ଘଟଣାକୁ ହାଲୁକା ଭାବରେ ନ ନେଇ ତୁରନ୍ତ ସତ୍ୟ ଉନ୍ମୋଚନ କରନ୍ତୁ ଏବଂ ନୈତିକ ଦାୟିତ୍ୱ ବହନ କରନ୍ତୁ ବୋଲି ବିଜେଡି ଦାବି କରିଛି ।

Leave a Reply

Your email address will not be published. Required fields are marked *