ଆଖି ବୁଜିଲେ ବାଲେଶ୍ବର ପୀଡ଼ିତା

ଭୁବନେଶ୍ୱର: ତିନି ଦିନ ଧରି ଜୀବନ ବଞ୍ଚିବା ନେଇ ସଙ୍ଘର୍ଷ ପରେ ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ପୀଡିତା ଜଣକ । ଏନେଇ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ୟୁନିଟ୍ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ସହ, ସେ ଲେଖିଛନ୍ତି ଯେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସୂଚନାଯୋଗ୍ୟ, ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଏହି ଛାତ୍ରୀ ଜଣକ ପ୍ରଥମେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ କୌଣସି ପଦକ୍ଷେପ ନନେବାରୁ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଛାତ୍ରୀଜଣଙ୍କ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ପୂର୍ବରୁ ସୂଚନା ଦେଇଥିଲେ ।ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ସୋମବାର ଗିରଫ କରାଯାଇଥିଲା ।

ସୋମବାର ସନ୍ଧ୍ୟାରେ ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡିତାଙ୍କୁ ଭେଟିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ମହାମହିମ । ପରିବାର ଲୋକଙ୍କୁ ଶାନ୍ତ୍ବନା ଦେବା ସହ ତ୍ୱରିତ ପଦକ୍ଷେପ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *